
ସମ୍ବଲପୁର, ୧୬, ଜାନୁଆରୀ (ହି.ସ.) : ସମ୍ବଲପୁର ମହାନଗର ନିଗମ ପକ୍ଷରୁ ନିଗମ ଅଞ୍ଚଳରେ ଜବରଦଖଲ ହୋଇ ରହିଥିବା ବିଭିନ୍ନ ସ୍ଥାନ ଗୁଡିକରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ବିଗତ କିଛି ଦିନ ହେବ ଏହି ପ୍ରକ୍ରିୟା ସ୍ଥଗିତ ଥିବା ବେଳେ ନୁତନ ବର୍ଷରୁ ଏହା ପୁନଃ ଆରମ୍ଭ କରାଯାଇଛି । ସମ୍ବଲପୁରର ରେମେଡ ଛକରୁ ନେଇ ଅଇଁଠାପାଲି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବଜାରେ ରହିଥିବାରୁ ସେ ଗୁଡିକୁ ଉଚ୍ଛେଦ କରାଯାଇ ରାସ୍ତା ପ୍ରଶସ୍ତିକରଣ ସହିତ
ଅନ୍ୟାନ୍ୟ ଜନହିତକର କାର୍ଯ୍ୟରେ ଲଗାଇବାର ଯୋଜନା ପ୍ରଶାସନ ରଖିଛି । ଏହି କ୍ରମରେ ଗୁରୁବାର ଦିନ ରେମେଡ ଛକର ଉଭୟ ପାଶ୍ୱର୍ରେ ଥିବା ୬୦ରୁ ଉର୍ଦ୍ଧ ଅସ୍ଥାୟୀ ଦୋକାନ, ସରକାରୀ ଜମିରେ କରିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ପାର୍କିଂ ସ୍ଥାନ, ଟିପିଡବ୍ଲ୍ୟୁଓଡିଏଲର ବିଦ୍ୟୁତ ଖୁଣ୍ଟ ଆଦିକୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଏ ସମ୍ପର୍କରେ ନିଗମର କାର୍ଯ୍ୟକାରୀ ଅଧିକାରୀ ତଥା ଡେପୁଟି କମିଶନର ସୁଶାନ୍ତ ସାହୁ କହିଛନ୍ତି ଯେ, ବିଗତ ଦିନରେ ସରକାରୀ ଜମି ଗୁଡିକୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ଜମିରୁ ଜବରଦଖଲ ଛାଡିବାକୁ ଅଞ୍ଚଳରେ ଡାକବାଜି ଯନ୍ତ୍ର ଜରିଆରେ ସୁଚନା ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ