
ପୁରୀ, ୧୬ ଜାନୁଆରୀ (ହି.ସ.)- ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ 'ସ୍ପର୍ଶ କୁଷ୍ଠ ସଚେତନତା' ଅଭିଯାନ ନିମିତ୍ତ ଏକ ଶପଥ ପାଠ ଜିଲ୍ଲା ସମନ୍ଵୟ ବୈଠକରେ ଅନୁଷ୍ଠିତ ହୋଇଯାଇଛି | ଏହି ନିମିତ୍ତ ଏକ ବୈଠକ ଆଭାସୀ ମାଧ୍ୟମରେ ୧୫ ଜାନୁଆରୀରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ 'ସ୍ପର୍ଶ କୁଷ୍ଠ ସଚେତନତା' ଅଭିଯାନ ଉପରେ ଜିଲ୍ଲାପାଳଙ୍କ ବାର୍ତା ପଠନ କରାଯାଇଥିଲା | ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ | ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥି, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ମାନସ ରଞ୍ଜନ ଦାଶ, ଜିଲ୍ଲା କୁଷ୍ଠ ପରାମର୍ଶଦାତା ଡାକ୍ତର ସୁଶାନ୍ତ କୁମାର ରାଉତ, ଡିପିଏମ୍ ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ | ଏହି ନିମିତ୍ତ ୧୫ ଦିନିଆ ଅଭିଯାନ ୩୦ ଜାନୁଆରୀଠାରୁ ଆରମ୍ଭ ହୋଇ ୧୩ ଫେବୃଆରୀ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୧୬ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୪ ଟି ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର,୨୪୧ ଟି ଉପସ୍ୱାସ୍ଥ୍ୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏବଂ ୫ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମଧ୍ୟ ପାଳନ କରାଯିବ | ଏଥି ସହିତ ସମସ୍ତ ପଂଚାୟତରେ, ଗ୍ରାମ ସଭା ମାଧ୍ୟମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯିବ |
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ