
ଜୟପୁର, ୧୭ ଜାନୁଆରୀ(ହି.ସ.) – ଆଜି ସିପିଆଇ କୋରାପୁଟ ଜିଲ୍ଲା ପରିଷଦର ବୈଠକ ଶ୍ରୀ ବୁଦ୍ରା ବଡ଼ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଦିବଂଗତ ଶତାୟୁ ସ୍ୱାଧିନତା ସଂଗ୍ରାମୀ ତଥା ସିପିଆଇର ପ୍ରାକ୍ତନ ସମ୍ପାଦକ ମଣ୍ଡଳୀ ସଭ୍ୟ ସୋମନାଥ ପାତ୍ରଙ୍କ ସ୍ମୃତିରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିବା ପରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଥିଲେ ଯେ ଶ୍ରମିକ କୃଷକମାନଙ୍କ ସମସ୍ୟା ସମାଧାନ ଦାବିରେ, ବେକାରୀ ସମସ୍ୟା ସମାଧାନ ପାଇଁ, ଦରଦାମ୍ ବୃଦ୍ଧି ପ୍ରତିବାଦରେ ଦେଶର ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଡାକରା ଦେଇଥିବା ଫେବୃଆରୀ-୧୨ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ସିପିଆଇ ଦଳ ସମସ୍ତ ପ୍ରକାର ପ୍ରସ୍ତୁତି କରିବ। ଆଗାମୀ ୨୪ ଜାନୁଆରୀରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଗଣ ପାଣ୍ଠି ସଂଗ୍ରହ, ଫେବୃଆରୀ ୨ରୁ ୭ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍ରେ ଜନଦାବୀ ଯଥା ଟାଟା ପାୱାରର ଜୁଲୁମ୍, ପ୍ରଦୂଷଣ ନାଁରେ ସାଧାରଣ ଜନତାକୁ ଶୋଷଣ, ଦରଦାମ୍ ବୃଦ୍ଧି ଏବଂ ସ୍ଥାନୀୟ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପ୍ରାକ୍ତନ ଜିଲ୍ଲା ସମ୍ପାଦକ ଶ୍ରୀ ଯୁଧିଷ୍ଠିର ରାଉଳ ସଭ୍ୟପଦ ନବୀକରଣ ଏବଂ ବାମପନ୍ଥୀ ଆନ୍ଦୋଳନକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଉତ୍କଳ ମହିଳା ସଂଘର ଶ୍ରୀମତୀ ଦୟାମଣୀ ନାୟକ କୋରାପୁଟ ଜିଲ୍ଲାରେ ମହିଳା ସଂଗଠନକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁନୀତା ନାଗ, କୁମର ଜାନୀ, ବଳିଭଦ୍ର ଭୋଇ, ପବନ ମହୁରିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି