
ଭଦ୍ରକ, ୧୭ ଜାନୁଆରୀ (ହି.ସ.) -ଧାମରା ନିକଟସ୍ଥ କଇଥଖୋଲା ପଂଚାୟତରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେଉ ନଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଇଥଖୋଲା ପଂଚାୟତର ପୂର୍ବତନ ବିଜେଡି ସରପଂଚ ବନବିହାରୀ ମାଇତିଙ୍କ ଆବାହକତ୍ୱରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କଇଥଖୋଲା ଠାରୁ କନକପଲ୍ଲୀ ହେଲିପ୍ୟାଡ ରାସ୍ତାର ଦୈଘ୍ୟ ୨କି.ମି ହୋଇଥିବା ବେଳେ ଏହି ରାସ୍ତା କାର୍ଯ୍ୟ ପାଇଁ ଧାମରା ବନ୍ଦର କର୍ତୁପକ୍ଷ ପ୍ରଥମ ପର୍ଯ୍ୟାୟରେ ୩୫ଲକ୍ଷ ଏବଂ ଦ୍ୱିତୀୟ ପଯ୍ୟାୟରେ ପୁନଶ୍ଚ ୭ଲକ୍ଷ ଏହି ଭଳି ୪୨ଲକ୍ଷ ଟଙ୍କା ଦେବାପାଇଁ ସ୍ତିରୀକୃତ ହୋଇଥିଲା ଏବଂ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ବେଳେ ଏକ ନିର୍ଦିଷ୍ଟ ରାଜନୈତିକ ଦଳ ର କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏହାକୁ ବାଧା ଦେବା ସହ କଇଥଖୋଲା ପଂଚାୟତର ସେହି ରାଜନୈତିକ ଦଳର ଠିକାଦାରଙ୍କୁ ଏହି କାର୍ଯ୍ୟ ଦେବାକୁ ବନ୍ଦର କର୍ତୁପକ୍ଷଙ୍କ ନିକଟରେ ଦାବୀ ରଖିଥିଲେ ଫଳରେ ଧାମରା ବନ୍ଦର କର୍ତୁପକ୍ଷ ଏହି ରାସ୍ତା କାର୍ଯ୍ୟ ପାଇଁ ଦେଇଥିବା ଅନୁଦାନ ଫେରସ୍ତ ନେଇଯିବା ସହ ଏହି ରାସ୍ତା କାର୍ଯ୍ୟ ବନ୍ଦ ମଧ୍ୟ କରିଦେଇଥିଲେ। ସେହିପରି କଇଥଖୋଲା ପଂଚାୟତର ସରପଂଚ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ବେଳେ ସେହି ସ୍ଥାନରେ କୌଣସି ସୂଚନା ଫଳକ ମଧ୍ୟ ଲଗାଉ ନାହନ୍ତି ଫଳରେ ବିଭିନ୍ନ କାର୍ଯ୍ୟର ଅନୁଦାନରାଶି ଏବଂ କାର୍ଯ୍ୟ ବିଷୟରେ ପଂଚାୟତର ଲୋକମାନଙ୍କୁ ଅବଗତି କରାଉନାହାନ୍ତି ଏବଂ ହେଉଥିବା କାର୍ଯ୍ୟର ମାନ ମଧ୍ୟ ଠିକ ହେଉ ନାହିଁ ବୋଲି ଅଭିଯୋଗ ଆସିଥିଲା।ଏଥିସହ କଇଥଖୋଲା ପଂଚାୟତରେ ଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ବହୁବାର ପଂଚାୟତବାସୀ ଦାବୀ କରି ଆସୁଥିବା ବେଳେ ଭଦ୍ରକ ଅବକାରୀ ବିଭାଗରର ସୁପରିଟେଣ୍ଡ ଜାଣିଶୁଣି ଏହାକୁ ସ୍ଥାନାନ୍ତରିତ କରୁ ନାହାନ୍ତି ଏବଂ ବିଦ୍ୟାଳୟର ଆଗରେ ଥିବା ଏହି ମଦଦୋକାନକୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ମଧ୍ୟ ଦାବୀ ଉପସ୍ଥାପିତ ହୋଇଥିଲା। ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଆବାହକ ବନବିହାରୀ ମାଇତି, ବାକର ଅଲ୍ଲିଖାଁ, ଅମୁଲ୍ୟ ବେହେରା, ମୁରଲୀଧର ବେହେରା, ନନ୍ଦକିଶୋର ପାତ୍ର, ମିଥୁନ ଖଟୁଆ, ରାମେଶ୍ୱର ଦାସ, ରମେଶଚନ୍ଦ୍ର ସାହୁ, ଗୌତମ ବର, ଶ୍ୟାମସୁନ୍ଦର ବାଗ, ରେଜାକ ଅଲ୍ଲି ଖାଁ, ଅଭୟ ମାନ୍ନା, ଅତ୍ୟପ୍ରକାଶ ସେଠୀ, ସେକ ମୁସ୍ତାପା ,ବୁଲୁ ଗିରିଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ଏହି ପଂଚାୟତର ସରପଂଚ ନିଜ ପ୍ରତିକ୍ରିୟାରେ କହିଛନ୍ତି କଇଥଖୋଲା ଠାରୁ କନକପଲ୍ଲୀ ହେଲିପ୍ୟାଡ ପର୍ଯ୍ୟନ୍ତ ଥିବା ରାସ୍ତା ଟି ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ -୨ ଅଧିନରେ ଆସୁଥିବା ବେଳେ ଏହି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ ହୋଇଛି ଏବଂ ୨କୋଟି ଟଙ୍କା ଏହି ରାସ୍ତା ପାଇଁ ଆକଳନ କରାଯାଇଛି ଖୁବ ଶୀଘ୍ର ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହେବ। ଏଥିସହ କଇଥଖୋଲା ପଂଚାୟତରେ ସମସ୍ତ କାର୍ଯ୍ୟ ସରକାରଙ୍କ ଦ୍ୱାରା ସ୍ତିରୀକୃତ ମାନଦଣ୍ଡ ଆଧାରରେ ହେଉଥିବା ବେଳେ ସମସ୍ତ କାର୍ଯ୍ୟର ମାନ ଠିକ ଅଛି ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି।ଅନ୍ୟ ପକ୍ଷରେ ପୂର୍ବତନ ସରପଂଚ ବନବିହାରୀ ମାଇତି, ଏହି ସମସ୍ତ କାର୍ଯ୍ୟର ସମୀକ୍ଷା ଭଦ୍ରକ ଜିଲ୍ଲାପାଳ କଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ