
ଚମ୍ପୁଆ, , 17 ଜାନୁଆରି (ହି.ସ.) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାରି ସାଙ୍ଗ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ବେଳେ ପଛପଟୁ ବୋଲେରୋ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ - ବାସୁଦେବପୁର ପୂର୍ତ୍ତ ବିଭାଗ ରାସ୍ତାରେ ଚାଲିଚାଲି ଆସୁଥିବା ଚାରି ସାଙ୍ଗଙ୍କୁ ମଥୁରାପୁର ନିକଟରେ ବାସୁଦେବପୁରରୁ ଚମ୍ପୁଆ ପଟକୁ ଦୃତଗତିରେ ଆସୁଥିବା ଏକ ବୋଲେରୋ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଜଡ଼ିପଦା ଗ୍ରାମର ସୁବାସ ଚନ୍ଦ୍ର ମହାନ୍ତଙ୍କ ପୁଅ ଯୁଧିଷ୍ଠିର ମହାନ୍ତ (୧୭ ) ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗରେ ଥିବା ବଡ଼ ଭାଇ ଯଶୋବନ୍ତ ମହାନ୍ତ, ଗ୍ରାମର ସାଙ୍ଗ ସୁଜିତ ମହାନ୍ତ ଓ ସୁନାପଶି ଗ୍ରାମର ଅନିଲ ମହାନ୍ତ ଗୁରୁତର ଆହତ ହେଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଯଶୋବନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇ ଥିବା ବୋଲେରୋଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta