

ବଲାଙ୍ଗୀର, ୧୭ ଜାନୁଆରୀ(ହି.ସ.) – ସମ୍ପତି ଲୋଭରେ ଭାଇକୁ ମାରିଲା ଭାଇ। ଆଉ ଘଟଣାର ପର୍ଦ୍ଦାଫାସ କରି ବଲାଙ୍ଗୀର ପୋଲିସ ଖୁଲାସା କରଚି ପ୍ରେସମିଟ୍ରେ। ପ୍ରେସମିଟ୍ରେ ଖୋଦ୍ ବଲାଙ୍ଗୀର ଏସ୍ପି ଯୋଗଦେଇ ବଡ଼ ସୂଚନା ଦେଇଛନ୍ତି ଆଉ ତୁଷୁରା ତେଲନଦୀ ବ୍ରିଜ ତଳୁ ଗତ ଜାନୁଆରୀ ୨ ତାରିଖରେ ମୃତଦେହ ଉଦ୍ଧାର କରାଯାଇଥିବା ଘଟଣାରେ ସାନ ଭାଇକୁ ବଡ଼ ଭାଇ ହିିଁ ହତ୍ୟା କରିଛି ବୋଲି ସ୍ପଷ୍ଟ କରିଛନ୍ତି। ଏସ୍ପିଙ୍କ ସୂଚନା ଅନୁଯାୟୀ, ବ୍ରିଜ ତଳୁ ଦେଉଳଗୁଡ଼ି ଗାଁର ବ୍ୟବସାୟୀ ନଟରାଜ ଥାନପତିଙ୍କ ମୃତଦେହ ଉଦ୍ଧାର କରଯାଇଥିବାବେଳେ କିଛିମାସ ତଳେ ନଟରାଜଙ୍କ ବିବାହ ଠିକ ହୋଇଥିଲା। ଆଉ ଅଳ୍ପ କିଛିଦିନ ଥିବାବେଳେ ତାଙ୍କର ବ୍ରିଜ ତଳୁ ମୃତଦେହ ମିଳିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏପରିକି ନଟରାଜଙ୍କ ବିବାହ କାର୍ଡ ବଂଟନ ମଧ୍ୟ କରି ସାରିଥିବା ପରିବାର ଲୋକେ କହିଥିଲେ। ମୃତ୍ୟୁକୁ ନେଇ ପରିବାର ଲୋକେ କିଛି କହି ନଥିବାବେଳେ ଘଟଣାସ୍ଥଳରେ ତୁଷୁରା ପୋଲିସ ଓ ସାଇଂଟିଫିକ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ବ୍ୟବସାୟୀଙ୍କ ଆତ୍ମହତ୍ୟା ନା ତାଙ୍କୁ କିଏ ହତ୍ୟା କରିଛି ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦୀର୍ଘ ୧୫ଦିନ ପରେ ପୋଲିସ ମୃତକଙ୍କ ବଡ଼ ଭାଇକୁ ଉଠାଇଆଣି ପଚରାଉଚୁରା କରିବା ପରେ ହତ୍ୟା ଘଟଣାର ରହସ୍ୟ ଉଠିଛି। ନଟରାଜଙ୍କ ବଡ଼ ଭାଇ ହିିଁ ତାଙ୍କୁ ମାରିବା ପାଇଁ କରିଥିଲା ଷଡ଼ଯନ୍ତ୍ର। ତୁଷୁରା, ଦେଓଗାଁ ଓ ସଇଁତଳା ଅଂଚଳର କିଲରମାନଙ୍କୁ ସାନଭାଇକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ। ଏପରିକି ଘଟଣାକୁ ନେଇ ପ୍ରଥମେ ବଡ଼ ଭାଇ ହିିଁ ପୋଲିସ ପାଖରେ କେସ୍ ଦେଇଥିଲା, ଶେଷରେ ବଡ଼ ଭାଇ ହିିଁ ହତ୍ୟାକାରୀ ବାହାରିଲା ଓ ପୋଲିସ ହାତରେ ଧରାପଡ଼ି ଜେଲ୍ ଗଲା, ଯାହାକୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା। ମୁଖ୍ୟ ଅଭିଯୁକ୍ତ ବଡ଼ ଭାଇ ନବ ଥାନପତିଙ୍କ ସହ ପୋଲିସ ୮ ଜଣଙ୍କୁ ଗିରଫ କରିଥିବାବେଳେ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଥିବା ଏସ୍ପି ଅଭିଳାଷ ସାମ୍ୱାଦିକଙ୍କୁ କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ