
ସୁବର୍ଣ୍ଣପୁର, ୧୭ ଜାନୁଆରୀ(ହି.ସ.) – ଆଜି ଅପରାହ୍ନ ୩.୩୦ ଘଟିକା ସମୟରେ ସୋନପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତା ପାଂଚ ଦିନିଆ ଖଲିଆପାଲି ଠାରେ ଅନୁଷ୍ଠିତ ହେବାକୁ ଥିବା ମାଘ ମେଳା ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଉପ-ଜିଲ୍ଲାପାଳ, ସୋନପୁର ତଥା ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟର ଉପାଧ୍ୟକ୍ଷା, ଖଲିଆପାଲି, ଡ଼ ସୌମ୍ୟ ରୂପା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଉପସ୍ଥିତ ଥିଲେ ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ଛତ୍ରଧାରୀ ଅଗ୍ରୱାଲ, ସମ୍ପାଦକ ଜନ୍ମେଜୟ ସ୍ୱାଇଁ ଏବଂ ଅନ୍ୟାନ୍ୟ ମହିମା ଭକ୍ତ। ବୈଠକରେ ଯୋଗ ଦେଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଅବକାରୀ ଅଧିକ୍ଷକ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଆରକ୍ଷୀ ଅଧିକାରୀ, ସୋନପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ କୋଠା ବିଭାଗ, ସୁବର୍ଣ୍ଣପୁର, ସେକ୍ସନ ଅଫିସର, ସୁବର୍ଣ୍ଣପୁର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଗ୍ରାମୀଣ ପାନୀୟ ଜଳଯୋଗାଣ ଏବଂ ପରିମଳ, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର, ଲଛିପୁର ଥାନା ଅଧିକାରୀ, ଅଗ୍ନିଶମ ଅଧିକାରୀ ସୋନପୁର, ଆସନ୍ତା ୨୯ ଜାନୁଆରୀ ରୁ ୨ ଫେବୃଆରୀ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ସ୍ଥିତ ଭୀମଭୋଇ ସମାଧି ପୀଠ ପରିସରରେ ଶତବର୍ଷ ପୁରୁଣା ମାଘ ମେଳା ଆୟୋଜିତ ହେବ। ମେଳାକୁ ସୁଚାରୁ ରୂପେ ଓ ସୁସଂଗଠିତ ଭାବେ ଆୟୋଜନ କରିବାକୁ ଉପଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମେଳା ପୂର୍ବରୁ ଭୀମ ଭୋଇଙ୍କ ସମାଧି ପୀଠର ରଙ୍ଗକାମ ସମାପ୍ତ କରିବା ସହିତ ମେଳା ସମୟରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ନିୟୋଜିତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।
ମେଳା ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଅସ୍ଥାୟୀ ଦୋକାନୀମାନଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ ପ୍ରଶାସନକୁ ଆଦେଶ ଦିଆଯାଇଛି। ଆଲୋକୀକରଣ ଓ ଅନବରତ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ବିଭାଗକୁ ଏବଂ ପିଇବା ପାଣି, ପଡିଆରେ ପାଣି ସିଞ୍ଚନ ପାଇଁ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ମାଘ ମେଳାରେ ‘ମହିମା’ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି। ମାଘ ମେଳା ଦିନମାନଙ୍କରେ ଜାନୁଆରୀ ୩୧ ଏବଂ ଫେବୃଆରୀ ୦୧, ଦୁଇ ଦିନ ଭକ୍ତମାନଙ୍କ ଦର୍ଶନ ପାଇଁ ଖଲିଆପାଲି ମଠ ଦିନ ୧୨ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିଷ୍ପତି ନିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ