

ବଲାଙ୍ଗିର, 17 ଜାନୁଆରି (ହି.ସ.)
ଆଜି ୨୩ତମ ବଲାଙ୍ଗିର ଲୋକଉତ୍ସବ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଲୋକଉତ୍ସବର ସବିଶେଷ ବିବରଣୀ ସମ୍ବାଦିକଙ୍କୁ ଦେଇଥିଲେ । ଜିଲ୍ଲାର ଐତିହାସିକ ସ୍ଥଳୀ, କଳାସଂସ୍କୃତି ଏବଂ ପରମ୍ପରାକୁ ଚଳିତ ବର୍ଷ ପ୍ରଥମ ଥର ଲାଗି ଡ୍ରୋନ ଶୋ ଦ୍ଵାରା ଲୋକଉତ୍ସବରେ ପ୍ରଦର୍ଶିତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ୧୪ଟି ବ୍ଲକରୁ ବିଭିନ୍ନ ପ୍ରତିଯୋଗିତାରୁ ଚୟନ ହୋଇଆସିଥିବା କଳାକାରଙ୍କର ଏକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବେ । ଲୋକଉତ୍ସବରେ ଚଳିତ ବର୍ଷ ଗୁଜୁରାଟ, ଆସାମ, ପଞ୍ଜାବ, ଝାରଖଣ୍ଡ, ମହାରାଷ୍ଟ୍ର, ଜମ୍ମୁ ଓ କାଶ୍ମୀର, ହରିୟଣା, ପଶ୍ଚିମବଙ୍ଗ, କେରଳ ପ୍ରଭୃତି ରାଜ୍ୟର ଲୋକ ନୃତ୍ୟ ଦଳ ଅଂଶଗ୍ରହଣ କରିବେ । ଏହି ବ୍ୟତୀତ ଆମ ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, ସୁବର୍ଣ୍ଣପୁର, ସମ୍ବଲପୁର, ବରଗଡ଼, ରାୟଗଡ଼, ଗଞ୍ଜାମ, ପୁରୀ ଓ ବଲାଙ୍ଗିର ଜିଲ୍ଲାର ପ୍ରମୁଖ ସାଂସ୍କୃତିକ ଦଳ ଏହି ଖୋଲା ରଙ୍ଗମଞ୍ଚରେ ନିଜର ନୃତ୍ୟକଳା ପରିବେଷଣ କରି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବେ । ଏଥିରେ ମୋଟ ୨୯୫ଟି ଷ୍ଟଲ ରହିବ, ଯେଉଁଥିରେ ପଲ୍ଲୀଶ୍ରୀ ମେଳା, ସୁଭଦ୍ରା ଶକ୍ତି ମେଳା ଏବଂ ସ୍ୱଦେଶୀ ମେଳା ସାମିଲ ଅଛି । ଏହା ସହିତ ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରୁ ଆସିଥିବା୧୫ଟି ଖାଦ୍ୟ ଷ୍ଟଲ ମଧ୍ୟ ରହିବ। ବଲାଙ୍ଗିରବାସୀଙ୍କୁ ଏହି ଲୋକ ଉତ୍ସବରେ ବହୁ ସଂଖ୍ୟାରେ ଯୋଗ ଦେଇ କଳାକାରଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିବା ସହ ଉତ୍ସବର ପ୍ରଚାରପ୍ରସାର କରି ଏହାକୁ ସାଫଲ୍ୟମଣ୍ଡିତ କରିବାକୁ ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡାଃ.ବିଜୟାନନ୍ଦ ସେଠୀ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରୁଣୀ ସୁନା, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ