ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ବିକାଶ କମିଟି ସମୀକ୍ଷା ବୈଠକ
Review-meeting-on-devlopment
ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ବିକାଶ କମିଟି ସମୀକ୍ଷା ବୈଠକ


ଝାରସୁଗୁଡ଼ା, ୧୭ ଜାନୁଆରୀ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ିତୋଳିବା ଏବଂ ସମସ୍ତ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସଭାପତିତ୍ୱ କରିଥିଲେ। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗର କାର୍ଯ୍ୟସୂଚୀ ଓ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ବିଶ୍ଵ ରଞ୍ଜନ ନାୟକ, ଭାରତୀୟ ପ୍ରଶାସନିକ ସେବା ପ୍ରଶିକ୍ଷଣାର୍ଥୀ ପ୍ରଜ୍ଞାନନ୍ଦନ ଗିରି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ଏବଂ ଜିଲ୍ଲା ଯୋଜନା ଓ ସମୀକ୍ଷା ୟୁନିଟ୍ ର ଉପ-ନିର୍ଦ୍ଦେଶକ ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ସମସ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

ଝାରସୁଗୁଡ଼ା ଜିଲ୍ଲାକୁ ରାଜ୍ୟର ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ିତୋଳିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ବା ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ସାମାଜିକ, ଅର୍ଥନୈତିକ ଏବଂ ଭୌତିକ ଭିତ୍ତିଭୂମି କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରାଯାଇ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯୋଜନା ଅଧୀନରେ ବିଭିନ୍ନ ବିଭାଗର ଚାଲୁ ରହିଥିବା କାର୍ଯ୍ୟ ଏବଂ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଥିବା ବେଳେ ପ୍ରତି ପଞ୍ଚାୟତରେ ଏକ ମିନି ଷ୍ଟାଡିୟମ ନିର୍ମାଣ ଓ ଜଳାଶୟଗୁଡ଼ିକର ପୁନରୁଦ୍ଧାର ତଥା ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି। ଜିଲ୍ଲାର ପ୍ରତିଟି ଗ୍ରାମର ଶେଷ ସୀମା ପର୍ଯ୍ୟନ୍ତ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ବା 'ଅନ୍ତ୍ୟୋଦୟ ସଂଯୋଗ' ସୁନିଶ୍ଚିତ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗକୁ ନେଇ ଏକ ମିଳିତ କମିଟି ଗଠନ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆଗାମୀ ୫ ବର୍ଷରୁ ୫୦ ବର୍ଷ ପର୍ଯ୍ୟନ୍ତ ଜିଲ୍ଲାର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଏକ 'ଦୂରଦର୍ଶୀ ଯୋଜନା' ପ୍ରସ୍ତୁତ କରିବାକୁ ପ୍ରତ୍ୟେକ ବିଭାଗକୁ ପ୍ରସ୍ତାବ ଦିଆଯାଇଛି।

ଜିଲ୍ଲା ପ୍ରଶାସନର ଡିପିଏମୟୁର ପ୍ଲାନିଂ ୱିଂ ଦ୍ୱାରା ଆୟୋଜିତ ଏହି ସମୀକ୍ଷା ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌରପାଳିକାର ନିର୍ବାହୀ ଅଧିକାରୀ, ତହସିଲଦାର ଏବଂ ଲାଇକେରା, କିର୍ମିରା, କୋଲାବିରା ଓ ଝାରସୁଗୁଡ଼ାର ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande