
ଭୁବନେଶ୍ୱର ୧୭ ଜାନୁଆରୀ (ହି.ସ)- ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଜୀବନ ସାର୍ଥକ ଦାସଙ୍କ ନେତୃତ୍ୱରେ ଶନିବାର ଝାରସୁଗୁଡ଼ା ଠାରେ ମନରେଗା ଉଚ୍ଛେଦ, ବିଜୁଳି ଚକ୍ରାନ୍ତ, ଧାନ କିଣା ଅବ୍ୟବସ୍ଥା ବିରୋଧରେ କଂଗ୍ରେସର ମହାସମାବେଶ ଆୟୋଜିତ ହୋଇଥିଲା । ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସିର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରଥମେ ପିସିସି ସଭାପତି, ଓଡ଼ିଶା ପ୍ରଭାରୀ ଏବଂ ଜିଲ୍ଲା କଂଗ୍ରେସ ସଭାପତି ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ପୁରୁଣା ବସଷ୍ଟାଣ୍ଡ ଛକଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ ଏବଂ ଏହାପରେ ବେରାମାଳ ଛକରେ ଦୁର୍ଗାମନ୍ଦିର ଦର୍ଶନ କରିବା ସହ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହି ବିଶାଳ ଶୋଭାଯାତ୍ରା ଏମସିଏଲ ଅଡିଟୋରିୟମ ପାଖରେ ପହଂଚିଥଲା ଏବଂ ସେଠାରେ ଆୟୋଜିତ ସଭାରେ ପିସିିସି ସଭାପତି କହିଥିଲେ ଯେ ଝାରସୁଗୁଡ଼ା ଜିଲ୍ଲାର ଅଧିବାସୀ ଏକ ବିଷାକ୍ତ ପରିବେଶ ବଳୟ ଭିତରେ କାଳତିପାତ କରୁଛନ୍ତି । କଂଗ୍ରେସ ଝାରସୁଗୁଡ଼ାରେ ଶିଳ୍ପାୟନ କରିଛି । ଶିଳ୍ପ ବିକାଶ ପାଇଁ ସମସ୍ତ ସୁଯୋଗ ଦେଇଛି । କିନ୍ତୁ ଶିଳ୍ପପତିମାନେ ଝାରସୁଗୁଡ଼ା ବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି । ଝାରସୁଗୁଡ଼ାରୁ ପ୍ରଚୁର ଖଣିଜ ଦ୍ରବ୍ୟ ଉତ୍ତୋଳନ ହେଉଛି । ଶିଳ୍ପପତିମାନେ ଲାଭବାନ ହେଉଛନ୍ତି ମାତ୍ର ଝାରସୁଗୁଡ଼ା ବାସିନ୍ଦା ଓ ଝାରସୁଗୁଡ଼ାର ଗରିବଲୋକମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ଯଦି ଆମେ ପରିବେଶ ପାଇଁ ଲଢ଼େଇ ନକରିବା ବା ଜାଗ୍ରତ ନହେବା ଝାରସୁଗୁଡ଼ା ଭବିଷ୍ୟତରେ ମଣିଷ ପାଇଁ ଆଉ ବାସପୋଯୋଗୀ ରହିବ ନାହିଁ । ଝାରସୁଗୁଡ଼ାବାସୀଙ୍କ ପାଇଁ ଝାରସୁଗୁଡ଼ାରେ ଏକ ଭଲ ହସପିଟାଲ ନହୋଇପାରିବା ଦୁର୍ଭାଗ୍ୟଜନକ ।
ସାରା ରାଜ୍ୟରେ କଂଗ୍ରେସ ଦଳ ମନରେଗା ଉଚ୍ଛେଦ, ବିଜୁଳି ଉପଭୋକ୍ତା ଓ ଚାଷୀଙ୍କୁ ପ୍ରତାରଣା ପ୍ରତିବାଦରେ ଲଢ଼େଇ କରୁଛି । ଦେଶର ଗ୍ରାମାଞ୍ଚଳର ଗରିବ ଜନସାଧାରଣଙ୍କୁ ରୋଜଗାର ଯୋଗାଇ ଦେବାପାଇଁ ତତ୍?କାଳୀନ କଂଗ୍ରେସ ସରକାର ମହାତ୍ମା ଗାନ୍ଧୀ ନରେଗା ଯୋଜନାର ପ୍ରଣୟନ କରିଥିଲେ । ଏହି ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାମକୁ କାଟିଦେବା ଏ ଦେଶ ଏବଂ ଏ ଜାତିପାଇଁ ଅପମାନ । ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ମଜୁରୀ କ୍ଷେତ୍ରରେ ୧୦୦ ପ୍ରତିଶତ ଅନୁଦାନ କେନ୍ଦ୍ର ଦେଉଥିଲା । ମାତ୍ର ଏବେ କେନ୍ଦ୍ର ୬୦ ପ୍ରତିଶତ ଦେବ ଏବଂ ରାଜ୍ୟ ୪୦ ପ୍ରତିଶତ ଦେବ । ଅର୍ଥାତ ଯୋଜନାରେ କେନ୍ଦ୍ରୀୟ ଅନୁଦାନକୁ କାଟି ଦିଆଯାଇଛି । ସେହିଭଳି ନିର୍ବାଚନ ସମୟରେ ୩୦୦ ୟୁନିଟ ବିଜୁଳି ଦେବାପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଏବେ ମାଗଣା ବିଜୁଳି ଦେବ କ’ଣ ଏ ରାଜ୍ୟର ଏକକୋଟି ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ କରିବାକୁ ଷଡଯନ୍ତ୍ର କରିଛନ୍ତି । ଭାରତର ବିଭିନ୍ନ ରାଜ୍ୟ ୧୦୦ ରୁ ୩୦୦ ୟୁନିଟ ବିଜୁଳି ଛାଡ଼ କରୁଥିବା ବେଳେ ଓଡ଼ିଶାରେ ତାହା ସମ୍ଭବ ହେଉନାହିଁ କାହିଁକି? ଶିଳ୍ପକୁ ବିଜୁଳି ଦେୟ ଛାଡ଼ କରାଯାଉଥିବା ବେଳେ ଚାଷୀକୁ ଗୋଟିଏ ୟୁନିଟ୍ ବିଜୁଳି ମାଗଣା ଦିଆଯାଉ ନାହିଁ ମାତ୍ର ଚାଷୀକୁ ମାଗଣା ବିଜୁଳି ଦେବାପାଇଁ ପ୍ରତିଶ୍ରୁତି ଦେଇଥଲେ । ସେହିଭିଳ ଉପଭୋକ୍ତାଙ୍କୁ ଅତିରିକ୍ତ ସୁରକ୍ଷା ଜମା ବାବଦରେ ଅର୍ଥପୈଠ କରାଯିବାକୁ ବାଧ୍ୟ କରାଯାଉଛି । ଅନ୍ୟ ପକ୍ଷରେ ଧାନ ସଂଗ୍ରହରେ ଏ ସରକାରଙ୍କର ଶଠତା ଜଳ ଜଳ ହୋଇ ଦିଶୁଛି । ମିଲ ମାଲିକ ଏବଂ ସରକାରଙ୍କର ଭିତିରି ବୁଝାମଣାରେ ଚାଷୀ କ୍ଷତିଗ୍ରସ୍ତ ହେଉଛି । ଚାଷୀର ସମସ୍ତ ଧାନକୁ କିଣିବାକୁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ ଏବେ ସେ ପ୍ରତିଶ୍ରୁତି ପ୍ରତାରଣରେ ପରିଣତ ହୋଇଛି । ପ୍ରତି କ୍ୟୁଂଟାଲ ଧାନରୁ ୧୦ କିଲୋ କଟନୀ ଛଟନୀର ଆଳରେ କାଟି ଦିଆଯାଉଛି । ଏବେ ପୁଣି ବିଜେପି ସରକାର ପ୍ରତିଶ୍ରୁତି ଦେଇଥିବା ଏମଏସପି ମୂଲ୍ୟରୁ ୮୦୦ ଟଙ୍କା କାଟି ଦେବାକୁ ମଧ୍ୟ କହିସାରିଲେଣି । ପରିଶେଷରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କୁ ନେଇ ସମ୍ବଲପୁର ଠାରେ ଏକ ମହାସମାବେଶ କରାଯିବାପାଇଁ ପିସିସି ସଭାପତି ଶ୍ରୀ ଦାସ ସେଠାରେ ଘୋଷଣା କରିଥିଲେ ।
ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓଡ଼ିଶା ସରକାରଙ୍କ ବିଜୁଳି ଉପଭୋକ୍ତା, ଚାଷୀ ଏବଂ ମୋଟରଗାଡ଼ି ଚାଳକ ମାରଣ ନୀତିକୁ ଦୃଢ଼ ସମାଲୋଚନା କରିଥିଲେ । ଏମାନଙ୍କର ସ୍ୱର ଆଜି କଂଗ୍ରେସର ସ୍ୱର ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବାଚସ୍ପତିୀ କିଶୋର ପଟେଲ, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ସିର୍ଦ୍ଧାଥ ଦାସ, ହମିଦ ହୁସେନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା