
*ଜିଲ୍ଲା ପାଠାଗାର ଠାରେ ଜିଲ୍ଲା ସ୍ତରୀୟ ମାସିକ ପଠନ କାର୍ଯ୍ୟକ୍ରମ ଉଦ୍ଘାଟିତ*
ନୂଆପଡ଼ା, ୨ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାସ୍ଥିତ ଜିଲ୍ଲା ପାଠାଗାର ଠାରେ ଜିଲ୍ଲା ସ୍ତରୀୟ ମାସିକ ପଠନ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହ ମୁଖ୍ୟ ଅତିଥି ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶଙ୍କ ଦ୍ଵାରା ଆଜି ଉଦ୍ଘାଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଜନସାଧାରଣ ତଥା ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ମଧ୍ୟରେ ପୁସ୍ତକ ପଠନ ତଥା ପାଠାଗାର ଆନ୍ଦୋଳନକୁ ଉଦଜୀବିତ କରିବା । ଜିଲ୍ଲା ସଂସ୍କୃତି ପରିଷଦ, ନୂଆପଡ଼ା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ କର୍ମଚାରୀ, ଅଧିକାରୀବୃନ୍ଦ ଓ ଜନ ସଧାରଣ ଯୋଗଦାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧିକାରୀ ବର୍ଗରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ, ନୂଆପଡ଼ା ବିନୟ ତିୱାରୀ ଓ ଜନ ସାଧାରଣ ବର୍ଗରେ ସ୍ଥାନୀୟ ବାସିନ୍ଦା ଓମ ପ୍ରକାଶ ପ୍ରଧାନଙ୍କୁ ପାଠାଗାରରେ ସର୍ବାଧିକ ସମୟ ପୁସ୍ତକ ପଠନରେ ବିତାଇଥିବାରୁ ପ୍ରଶସ୍ତି ପତ୍ର ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି ମାସିକ ପଠନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବାସ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ପ୍ରଫୁଲ୍ଲ କୁଜୁର, ଉପ ଜିଲ୍ଲାପାଳ ସୁରମି ସୋରେନ ଓ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢେଇ ପରିଚାଳନା କରିଥିଲେ । ପରିଶେଷରେ ସହକାରୀ ଜିଲ୍ଲାପାଳ କୁରୁକ୍ଷେତ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ