
ନୂଆପଡ଼ା, ୨ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ପକ୍ଷରୁ କରଲା ପତରିଆ ବାଘ ଛାଲ ଓ ଦୁଇଟି ସମ୍ବର ଶିଘଂ ଜବତ କରାଯାଇଛି। ଏହି ଦୁଇଟି ମାମଲାରେ ଛଅ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଆଜି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ସୂଚନା ଦେଇଛନ୍ତି।
ଗୁରୁବାର ଖଡ଼ିଆଳ ରେଞ୍ଜ ଅଞ୍ଚଳର ପତାଳଘୁଟକୁରି ଗ୍ରାମର ମହେଶ ସାହୁ (୬୨) ଓ ତାଙ୍କ ପୁଅ ଗଜାନନ ସାହୁ (୨୬) ଚିତା ବାଘ ଛାଲ ରଖିଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଅନ୍ୟ ଏକ ଘଟଣାରେ ଶୁକ୍ରବାର ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ବୋଡେ଼ନ ସେକ୍ସନ ଚାରିଜଣ ବ୍ୟକ୍ତି ଗୋଟିଏ ଚିତା ବାଘ ଛାଲ ଓ ଦୁଇଟି ସମ୍ବର ସିଙ୍ଗ ରଖି ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଦିନେଶ ମାଝି (୬୨), ସୁକୁରାମ ଚିନ୍ଦା (୪୫), ପୂର୍ଣ୍ଣଚନ୍ଦ୍ର ମାଝି (୪୬) ଓ ମଧୁସୂଦନ ମାଝି (୫୫) ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସମସ୍ତେ ବୋଡେ଼ନ ଥାନା ଅନ୍ତର୍ଗତ ସରାଧାରପୁର ଗ୍ରାମର ବୋଲି ଜଣାପଡ଼ିଛି। ଛଅ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଦୁଇ ଜଣ ଫେରାର ଥିବା ଜଣାପଡିଛି।
ଚଢ଼ଉର ନେତୃତ୍ଵ ନେଇଥିଲେ ଏସିଏଫ ପ୍ରଶ୍ନଜିତ ନାଏକ ଓ ମହମ୍ମଦ ମୁସ୍ତାଫା ସାହିଲ ସମେତ ସ୍ଥାନୀୟ ବନ କର୍ମଚାରୀ। ଅଭିଯୁକ୍ତ ମାନଙ୍କୁ ୱାଇଲ୍ଡ ପ୍ରୋଟେକ୍ସନ ଆଇନ ଓ ବେଆଇନ ଭାବରେ ସବୁଆନ ପଟ୍ଟା ରଖିଥିବା ଅଭିଯୋଗରେ କୋର୍ଟଚାଲାଣ କରିଥିବା ବନଖଣ୍ଡ ଅଧିକାରୀ ଶ୍ରୀ ଖାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ