
ସୁବର୍ଣ୍ଣପୁର, ୦୨ ଜାନୁଆରୀ(ହି.ସ.) – ଆଜି ପୂର୍ବାହ୍ନ ୦୯.୦୦ ଘଟିକା ସମୟରେ ଜାନୁୟାରୀ ମାସକୁ ଜାତୀୟ ସଡ଼କ ସୁରକ୍ଷା ମାସ - ୨୦୨୬ ପାଳନ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠାରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ ସହିତ ସୁବର୍ଣ୍ଣପୁର ସହରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଜାତୀୟ ସଡ଼କ ସୁରକ୍ଷା ସଚେତନତା ରଥ ଓ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ଶ୍ରୀ ନାରାୟଣ ନାୟକଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଆଞଳିନା ପ୍ରଧାନ, ଆଂଚଳିକ ପରିବହନ ଅଧିକାରୀ, ସୁବର୍ଣ୍ଣପୁର, ଅଗ୍ନିଶମ ବିଭାଗର କର୍ମଚାରୀମାନେ, ରେଆର, ସୋନପୁର ସମେତ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର ପ୍ରିତିନିଧିମାନେ, ସୁବର୍ଣ୍ଣପୁର ସହରର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ସଚେତନତା ଶୋଭାଯାତ୍ରା ସୁବର୍ଣ୍ଣପୁର ଆଂଚଳିକ ପରିବହନ କାର୍ଯ୍ୟାଳୟ ଠାରୁ ବାହାରି ସୋନପୁର ତହସିଲ ଅଫିସ ଛକ, ଉପ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ, ମଝିପଡ଼ା ଦେଇ ସୋନପୁର ବସ୍ଷ୍ଟାଣ୍ଡ, ନଳିନୀ ଛକରୁ ପୁଣି ଆଂଚଳିକ ପରିବହନ କାର୍ଯ୍ୟାଳୟ ଶୋଭାଯାତ୍ରା ଫେରି ଆସିଥିଲେ। ଏହି ଶୋଭାଯାତ୍ରା ସମୟରେ ଛାତ୍ରଛାତ୍ରୀ ମାନେ ସଡ଼କ ସୁରକ୍ଷା ସମ୍ବଳିତ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ ସହିତ ସ୍ଲୋଗାନ ଗୁଡ଼ିକ ଜନସାଧାରଣଙ୍କ ସଚେତନତା ପାଇଁ ପରିବେଷଣ କରିଥିଲେ। ଏହି ଅବସରରେ ଜିଲ୍ଲା ପଂଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଅର୍ଜୁନ ମାଝୀଙ୍କ ସମେତ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ