
ଜୟପୁର, ୪ ଜାନୁଆରୀ (ହି.ସ.)- ସ୍କୁଲ ପିଲାଙ୍କ ହାତରେ ବାଇକ୍ ଓ କାର୍। ନିରାପତ୍ତା ଆଇନ ଉଲ୍ଲଂଘନ। କୋରାପୁଟ ଜିଲା ପୋଲିସ ତରଫରୁ ଯାଞ୍ଚ କରିବାକୁ ଦାବି କରାଯାଇଛି । ବାଳିକା, ବାଳକ ତଥା ସ୍କୁଲ ପିଲାଙ୍କ ମଧ୍ୟରେ ଗାଡି ଚଳାଇବା ନିଶା ବେଶ ଘାରିଛି । ସମ୍ଭାବିତ ଦୁର୍ଘଟଣା ଆଶଙ୍କାରେ ଭୟଭୀତ ଅଛନ୍ତି । ୧୪ ବର୍ଷରୁ କମ ପିଲା ମାନଙ୍କ ଅଭିଭାବକମାନେ ବାଇକ ଚାବି ଦେବାରୁ ପିଲାମାନେ ଆଉ ମାନୁ ନାହାନ୍ତି । ଦୁର୍ଘଟଣା ଆଶଙ୍କାରେ ଭୟଭୀତ ଅଛନ୍ତି । ଭିଡ ରାସ୍ତାରେ ମଧ୍ୟ ଗାଡ଼ି ଚଳାଇ ଏପରି ଯାଉଛନ୍ତି ଯେ, ଅସାବଧାନତା ହେଲେ ଭୟଙ୍କର ରୂପ ନେବ । ସଡ଼କ ନିରାପତ୍ତା ଆଇନ ଅନୁଯାୟୀ ନାବାଳକ ମାନଙ୍କ ପାଇଁ ଗାଡି ଚଳାଇବା ମନା ଥିବାବେଳେ କଟକଣାକୁ କିନ୍ତୁ କେହି ମାନୁ ନାହାଁନ୍ତି । ଏପରିକି ଅଭିଭାବକ ମାନେ ନାବାଳକ ପିଲାଙ୍କ ପାଇଁ ବାଇକ, ସ୍କୁଟିର ଚାବି ଦେଇ ଭିଡ଼ ରାସ୍ତାରେ ଚଳାଇବାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି । ଏମିତିକି ସ୍କୁଲରୁ ଫେରିବା ପରେ ପୁଅ ଝିଅ ମାନେ ସ୍କୁଟି ଓ ବାଇକ ଧରି ଭିଡ଼ ରାସ୍ତାରେ ଏକ ପ୍ରକାର
ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳୁଛି । ଜାତୀୟ ରାଜପଥରେ ସାଧାରଣତଃ ଗାଡ଼ିମୋଟର ଭିଡ଼ ଥିବା ସତ୍ବେ ଏହି ପିଲାମାନେ କିଛି ନମାନି ଯେପରି ଭାବେ ବାଇକ ଓ ସ୍କୁଟି ଚଳାଇଥାନ୍ତି ନଦେଖିଲେ ବିଶ୍ୱାସ କରି ହେବନାହିଁ । ଧନୀ ବ୍ୟବସାୟୀଙ୍କ ପିଲାମାନେ ସେମାନଙ୍କ ସ୍କୁଲ ଓ କଲେଜ ପଢୁଆ ପୁଅ ଝିଅଙ୍କ ପାଇଁ ବାଇକ ଓ ସ୍କୁଟି ଦେଉଥିବା ବେଳେ ପ୍ରତିଦିନ
ସନ୍ଧ୍ୟାରେ ଏହି ନାବାଳକଙ୍କ ବିପଦପୂର୍ଣ ବାଇକ ଚାଳନା ଦେଖିଲେ ଯେକେହି ବି ଭୟଭୀତ ହେବା ସ୍ୱାଭାବିକ । ସେହିପରି ନାବାଳକ ମାନେ କୋରାପୁଟ ଜିଲା ଜୟପୁର, ସେମିଳିଗୁଡା, ବୋରିଗୁମ୍ମା, କୋଟପାଡ ସହର ସମେତ ଗ୍ରାମାଞ୍ଚଳରେ ୬୦ ରୁ ୮୦ ସ୍ପିଡରେ ବସ୍ତି ମଧ୍ୟରେ ବାଇକ ଚଳାଇବା ଏକ ସାଧାରଣ ଘଟଣା ହେଲାଣି । କଥା କେବଳ ସେତିକିରେ ଅଟକି ନାହିଁ, ଧନୀ ବାପାଙ୍କ କିଛି ନାବାଳକ ଝିଅପୁଅ ସେମାନଙ୍କ ଘରେ ଥିବା ସୌଖୀନ କାର ମଧ୍ୟ ଚଳାଇବା ଆରମ୍ଭ କଲେଣି । ବାଇକ, ସ୍କୁଟି ଏବଂ କାର ଚଳାଇବାରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବା ଏହି ନାବାଳକ ଗାଡ଼ି ଚାଳନାର କୌଣସି
ନିୟମକାନୁନ ଜାଣି ନଥିବା ବେଳେ ସେମାନଙ୍କ ଏହି ବେପରୁଆ ଗାଡ଼ିଚାଳନା କେତେ ଭୟଙ୍କର ଦୁର୍ଘଟଣା ଘଟାଇପାରେ ତାହା ମଧ୍ୟ ସେମାନେ ଜାଣିନାହାନ୍ତି । ତେବେ ସବୁଠୁ ଦୁଃଖର କଥାହେଲା ଏହି ପିଲାଙ୍କୁ ବାଇକ, କାର ଚଳାଇବାକୁ ସେମାନଙ୍କ ଅଭିଭାବକମାନେ ଆକଟ କରିବା ପରିବର୍ତ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ନାବାଳକଙ୍କ ଦ୍ୱାରା ଏହି ବେପରୁଆ
ଗାଡ଼ିଚାଳନା ଯୋଗୁଁ ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣା ହେବା ସ୍ଥିତି ଉପୁଜି ସାରିଛି । ତେବେ ନାବାଳକଙ୍କ ଏହି ବେପରୁଆ ଗାଡି ଚାଳନାକୁ ରୋକିବା ଏବଂ ସେମାନଙ୍କ ଅଭିଭାବକଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ପଡ଼ିବ । ଏହାଛଡ଼ା ଏହି ପିଲାମାନଙ୍କୁ ଧରି ଆବଶ୍ୟକ ସ୍ଥଳେ ଗାଡ଼ି ଜବତ କରି ଜରିମାନା କାଟିବାକୁ ପୋଲିସ ଓ ପରିବହନ ବିଭାଗ ପଦକ୍ଷେପ ନେବାକୁ ଜିଲାବାସୀ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି