
ବଲାଙ୍ଗିର, ୪ ଜାନୁଆରୀ (ହି.ସ.)- ବଲାଙ୍ଗିର ଜିଲ୍ଲାରେ ବାଲି ଚୋରି ଘଟଣା ଏକ ସାଧାରଣ ପ୍ରକ୍ରିୟାରେ ପରିଣତ ହେଲାଣି । ବିଶେଷ କରି ସୁକତେଲ ଓ ଅଙ୍ଗ ନଦୀରୁ ଦିନବେଳା ପ୍ରଶାସନର ନାକତଳେ ବାଲି ଚୋରା ଚାଲାଣ ହେଉଛି । ସ୍ଥାନୀୟ ପୋଲିସ ତଥା ଖଣି ବିଭାଗ ସବୁ ଜାଣି ମଧ୍ୟ ଅଜଣା ରହୁଥିବା ଦେଖିବାକୁ ମିଳିଛି । ବାଲିଖଣି ଲିଜଧାରୀ ମାନେ ଆଇନ ଭାଙ୍ଗି ବାଲି ଉଠାଇବା ସହିତ ଚାଲାଣ କରୁଥିବା ବେଳେ ଅଣଲିଜଧାରୀ ହତଗୁଞ୍ଜା ଦେଇ କାରବାର କରୁଛନ୍ତି । କେବଳ କୌଣସି ଅଭିଯୋଗ ହେଲେ ଅଥବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ଗାଡ଼ି ଧରପଗଡ ହେବା ସହିତ ଫାଇନ ଆଦାୟ ହେଉଛି ।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ, ଲୋଇସିଂହା ବ୍ଲକର ଛେଲବାହାଲ ବାଲି ଖାଦାନରୁ ବାଲି ଉଠାଣ ପାଇଁ ଅନୁମତି ରହିଥିବା ବେଳେ ବାକି ବାଲିଖଣି ଗୁଡ଼ିକରୁ ବାଲି ଉଠାଇବା ପାଇଁ ଅନୁମତି ନାହିଁ । ସେହିପରି ଆଗଲପୁର ତହସିଲ ଅଧିନ ସାଲେଭଟା, ଡୁଡୁକା, ଫଟାମୁଣ୍ଡା, କୁଟାସିଂହା, ବାଞ୍ଜିପାଲି, ଫାସଡ, ତେତେଲଗାଁ ପ୍ରଭୃତି ବାଲି ଖଣିରୁ ବାଲି ଉଠାଣ ପାଇଁ ଅନୁମତି ନାହିଁ । ଯାହା ବି ଚାଲିଛି ଖଣି ବିଭାଗ ତଥା ପୋଲିସର ଜାଣତରେ । ଏପରିକି କୌଣସି ବୈଧ ବାଲିଖଣି ନ ଥାଇ ଡୁଡୁକ-ମହୁଲପାଲି ମଝିରେ ଚୂର୍ଣିମୁହାଣ ନାମକ ସ୍ଥାନରୁ ପ୍ରତିଦିନ ବେଆଇନ ଭାବେ ଶହ ଶହ ଟ୍ରିପ ବାଲି ଉଠାଣ ହେଉଛି । ସେହିପରି ରଫାଖାଲ ଠାରେ ବେଆଇନ ଭାବେ ଆଉ ଏକ ବାଲିଘାଟ ତିଆରି କରି ବାଲି ଉଠାଣ ପାଇଁ ମସୁଧା ଚାଲିଥିବା ଜଣାଯାଇଛି । କେଉଁ ଘାଟରୁ କେତେ ଇଲାକାରେ ବାଲି ଉଠିବ, ତାହା ନିଲାମ ସମୟରେ ଦର୍ଶା ଯାଇଥିଲେ ମଧ୍ୟ ବାଲି ମାଫିଆ ମାନେ ନିର୍ଦ୍ଧାରିତ ଇଲାକା ବ୍ୟତୀତ ଅନ୍ୟ ସ୍ଥାନରୁ ବେଆଇନ ଭାବେ ବାଲି ଉଠାଣ କରୁଛନ୍ତି । ଏପରିକି ସ୍ଥାନୀୟ କେନାଲ ନିର୍ମାଣ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା ପରିସରରେ ବେଆଇନ ଭାବେ ଶତାଧିକ ଟ୍ରିପ ବାଲି ଗଚ୍ଛିତ ରହିଥିବା ଦେଖିବାକୁ ମିଳିଛି । ବେଆଇନ ବାଲି ଉଠାଣ, ଚାଲାଣ ତଥା ଗଚ୍ଛିତ ରଖିବା ଉପରେ ରୋକ୍ ଲଗାଇବା ପାଇଁ ଟାସ୍କଫୋର୍ସ ଗଠିତ ହୋଇଥିଲେ ମଧ୍ୟ ତାହା ନାମକୁ ମାତ୍ର । ବଲାଙ୍ଗୀର ଜିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ଭାବେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ