
ନୂଆପଡ଼ା, ୪ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଆଜି ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବାବେଳେ ଦିନ ୧ଟାରୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଦିନ ୧ଟା ୩୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି। ସେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ସଂସ୍କୃତ ବିଶ୍ବବିଦ୍ୟାଳୟ ତିରୁପତିରୁ ସମ୍ମାନ ଜନକ ଡକ୍ଟରେଟ୍ ପାଇଛନ୍ତି। ତାଙ୍କ ଦ୍ବାରା ୧୮ ଖଣ୍ଡ ଇତିହାସ ଏବଂ ପତ୍ନତାତ୍ୱିକ ବିଷୟ ଭିତ୍ତିକ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ଅନେକ ବହି ବିଦେଶ ଏବଂ ଭାରତର ଅନେକ ବିଶ୍ବବିଦ୍ୟାଳୟର ପାଠ୍ୟ ପୁସ୍ତକ ରୂପେ ବ୍ୟବହାର ହୋଇଅଛି। ସେ ଜଣେ ଲବ୍ଧ ପ୍ରତିଷ୍ଠିତ ଗବେଷକ ରୂପେ ପରିଚିତ। ନୂଆପଡ଼ା ଜିଲ୍ଲାର ଅନେକ ଐତିହାସିକସ୍ଥଳୀ ସେ ଆବିଷ୍କାର କରିଛନ୍ତି। ପ୍ରାକ ଐତିହାସିକ ଶିଳାଲିପି ଯୋଗିମଠ, ମାରାଗୁଡ଼ା ସଭ୍ୟତା, ନବନ୍ନାକ ନେହେନାର ପ୍ରାଚୀନ ତଥ୍ୟ ଆଦି ସେ ଆବିଷ୍କାର କରି ଚର୍ଚ୍ଚିତ ହୋଇଥିଲେ।
ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ରାଣୀ ରାଜଶ୍ରୀ ଦେବୀ ଶେଷ ସମୟରେ ଉପସ୍ଥିତ ଥିଲେ। ଆସନ୍ତାକାଲି ତାଙ୍କ ଜ୍ୟେଷ୍ଠ ପୁତ୍ର ଯୁବରାଜ୍ ଦେବ ଦେବ ପ୍ରସାଦ ସିଂ ଦେଓଙ୍କ ରାଜ୍ୟ ଅଭିଷେକ ହେବା ପରେ ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଶେଷକୃତ୍ୟ ରାଜବଂଶର ଶ୍ମଶାନ ଘାଟରେ ଅନୁଷ୍ଠିତ ହେବା ନିଷ୍ପତ୍ତି ହୋଇଅଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ