
ନୂଆପଡ଼ା, ୪ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବନ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ଆଞ୍ଚଳିକ କାର୍ଯ୍ୟାଳୟ,ବଲାଙ୍ଗୀର) ର ମିଳିତ ଆନୁକୂଲ୍ୟରେ ନାଲସା ‘ରାଷ୍ଟ୍ରୀୟ ପରିବେଶ ସୁରକ୍ଷା ଅଭିଯାନ’ ଓ ରାଜ୍ୟରେ ଚାଲିଥିବା ‘ପ୍ଲାଷ୍ଟିକମୁକ୍ତ ବଣଭୋଜୀସ୍ଥଳ ଅଭିଯାନ’ ଅଧୀନରେ ପରିବେଶ ସୁରକ୍ଷା ସମ୍ପର୍କରେ ଆଇନ ସଚେତନତା ପାଇଁ ଓ ଏକକ-ବ୍ୟବହାର ପ୍ଲାଷ୍ଟିକମୁକ୍ତ ଜିଲ୍ଲାଗଠନ ନେଇ ସଫେଇ କାର୍ଯ୍ୟ ସହ ବାଲ୍ୟବିବାହମୁକ୍ତ ଭାରତ ଏବଂ ନିଶାମୁକ୍ତ ଭାରତ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ଆଜି ସିନାପାଲି ବ୍ଲକସ୍ଥିତ ଥିପାଖୋଲ ପର୍ଯ୍ୟଟନସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା କମିଟିର ଅଧିକାର ମିତ୍ରଗଣ, ବନ ବିଭାଗ, ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ। ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଏକକ ବ୍ୟବହାର ପ୍ଲାଷ୍ଟିକମୁକ୍ତ କରି ପରିବେଶର ସୁରକ୍ଷା କରିବା ସହିତ ଭାରତକୁ ବାଲ୍ୟବିବାହ ଓ ନିଶାମୁକ୍ତ କରିବାକୁ ପ୍ରାଧିକରଣର ସଚିବ ନବନୀତା ଦାଶ, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ଆହ୍ବାନ ଦେଇଥିଲେ।
ସଭାରେ ସିନାପାଲୀ ରେଞ୍ଜର କାମେଶ୍ଵର ତାଣ୍ଡି, ଓଏସପିସିବି ର ଲ୍ୟାବ୍ ସହକାରୀ ଳଳିତ କୁମାର ମହାପାତ୍ର, ୟାର୍ ସଂଗଠନର ପ୍ରତିଷ୍ଠାତା ମହେନ୍ଦ୍ର ଯୋଶୀ, ମିରର୍ ସଂଗଠନର ପ୍ରତିଷ୍ଠାତା କାର୍ତ୍ତୀକ ବାଗ, ଫ୍ୟାମିଲି କାଉନସିଲର ଯଶୋବନ୍ତି ବାଗ, ମିରର୍ ଅନୁଷ୍ଠାନର ବହୁ ସ୍ବେଚ୍ଛାସେବୀ ଓ ପ୍ରାଧିକରଣର ଅଧିକାରମିତ୍ରଗଣ କ୍ଷୀରସିନ୍ଧୁ ସଗରିଆ, ଅଞ୍ଜନା ଜଗତ, ସରୋଜିନୀ ନାଏକ, ଅନିତା ନାଏକ, ବର୍ଷା ମେହେର, ଆନନ୍ଦି ବାଗ, ବୋଧିସତ୍ତ୍ଵ ବାଗ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାୟ ୬୦ କିଲୋ ପ୍ଲାଷ୍ଟିକ୍ ଆବର୍ଜନା ଉକ୍ତ ପର୍ଯ୍ୟଟନସ୍ଥଳୀରୁ ଉଠା ହୋଇଥିଲା । ସଭା ଶେଷରେ ସମସ୍ତେ ମିଶି ବାଲ୍ୟ ବିବାହମୁକ୍ତ ଭାରତଗଠନ ଓ ବଣଭୋଜୀସ୍ଥଳଗୁଡ଼ିକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ଶପଥପାଠ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ