
ଭୁବନେଶ୍ୱର, 04 ଜାନୁଆରି (ହି.ସ.)ପ୍ରଧାନମନ୍ତ୍ରୀଙ୍କ
ହସ୍ତକ୍ଷେପ ପରେ ଯୁଦ୍ଧକାଳନୀ ଭିତ୍ତିରେ ସମ୍ପୂର୍ଣ୍ଣ ହୋଇଥିଲା ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳ ଲାଇନ୍
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଗତି
ମଞ୍ଚ ଦେଶରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ତ୍ୱରିତ ଏବଂ ସମୟୋଚିତ
କାର୍ଯ୍ୟକାରିତାରେ ବିଶେଷ ଭାବେ ସହାୟକ ହୋଇଛି । ଏହାର ଏକ ଉଦାହରଣ ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳ ଲାଇନ୍ ଦୋହରୀକରଣ
ପ୍ରକଳ୍ପ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। 70 କିଲୋମିଟର ଲମ୍ବ ଏହି ପ୍ରକଳ୍ପକୁ ମାର୍ଚ୍ଚ
2012ରେ ମଞ୍ଜୁର କରାଯାଇଥିଲା।
ପ୍ରକଳ୍ପ ଲାଗି ରେଳ ମନ୍ତ୍ରଣାଳୟ 1,650 କୋଟି ଟଙ୍କା ମଞ୍ଜୁର କରିଥିଲା।
2015 ଜୁଲାଇ ମାସରେ ପୁରୀରେ ଶ୍ରୀଜିଉଙ୍କ
ନବକଳେବର ଉତ୍ସବକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା।
ଏହାର ଉଦ୍ଦେଶ୍ୟ ଥିଲା ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଥିବା ପ୍ରମୁଖ
ଧାର୍ମିକ ତଥା ପର୍ଯ୍ୟଟନସ୍ଥଳୀକୁ ସୁବିଧାଜନକ ରେଳ ସଂଯୋଗୀକରଣ ଯୋଗାଇ ଦେବ।
ଶ୍ରୀକ୍ଷେତ୍ରରେ ନବକଳେବର ଦେଖିବା ଲାଗି 50 ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଥିଲା।
ତେଣୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ଏହି ରେଳ ପ୍ରକଳ୍ପକୁ ଧାର୍ଯ୍ୟ
ସମୟସୀମା ମଧ୍ୟରେ ସାରିବା ଜରୁରୀ ହୋଇପଡ଼ିଥିଲା।
ଇତିମଧ୍ୟରେ ଭୁବନେଶ୍ୱର-ଡେଲାଙ୍ଗ ସେକ୍ସନ 40 କିଲୋମିଟର ରେଳ ଲାଇନ ଏବଂ ଡେଲାଙ୍ଗ-ସାକ୍ଷୀଗୋପାଳ ସେକ୍ସନ 13 କିଲୋମିଟର ରେଳ ଲାଇନର ଦୋହରୀକରଣ ସରିଥିଲା। କିନ୍ତୁ 17 କିଲୋମିଟର ବିଶିଷ୍ଟ ସାକ୍ଷୀଗୋପାଳ-ପୁରୀ ସେକ୍ସନ କାମ ସରିବାରେ ବିଳମ୍ବ ହୋଇଥିଲା।
ଠିକ୍ ସମୟରେ ଏହି କାମକୁ ସାରିବା ସହିତ ସମ୍ପୂର୍ଣ୍ଣ ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳ ଲାଇନ୍କୁ
ନବକଳେବର ପୂର୍ବରୁ କାର୍ଯ୍ୟକ୍ଷମ କରିବା ଏକ ବଡ଼ ଆହ୍ୱାନ ଥିଲା। ନିର୍ମାଣ କାମକୁ ଗତିଶୀଳ କରିବା ଏବଂ ସବୁ ବିଳମ୍ବିତ କାର୍ଯ୍ୟକୁ
ଯଥାଶୀଘ୍ର ସାରିବା ଜରୁରି ହୋଇପଡ଼ିଥିଲା। ଏହି ପ୍ରକଳ୍ପର ଗୁରୁତ୍ୱକୁ ଉପଲବ୍ଧି କରି 24 ଜୁନ୍ 2015ରେ ଅନୁଷ୍ଠିତ ପ୍ରଗତି ବୈଠକରେ ଏହାର ସମୀକ୍ଷା କରାଯାଇଥିଲା।
ସମୀକ୍ଷା ସମୟରେ, ନବକଳେବର ମହୋତ୍ସବ ପାଇଁ ଏହି ପ୍ରକଳ୍ପ ଜରୁରି ହୋଇଥିବାରୁ ରେଳ
ମନ୍ତ୍ରଣାଳୟ ଯଥାଶୀଘ୍ର ସବୁ କାମ ସାରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରକଳ୍ପକୁ ସର୍ବୋଚ୍ଚ
ପ୍ରାଥମିକତା ମାନ୍ୟତା ମିଳିଥିଲା। କାର୍ଯ୍ୟକାରୀ ସଂସ୍ଥା ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା
ପ୍ରୟାସକୁ ବ୍ୟାପକ କରିଥିଲା। ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରାଯାଇ ଯଥାଶୀଘ୍ର ସବୁ କାମ ସାରିବାକୁ ପଦକ୍ଷେପ ନିଆଯାଇଥିଲା।
ଅନ୍ୟପକ୍ଷରେ ପ୍ରଗତି
ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ନେଇ ନବକଳେବର ମହୋତ୍ସବକୁ ସଫଳ କରିବା ଉପରେ ଗୁରୁତ୍ୱାରୋପ
କରିଥିଲା। ସୁରକ୍ଷା, ପାନୀୟ ଜଳ ଯୋଗାଣ ଏବଂ ସ୍ୱଚ୍ଛତା ଉପରେ ପ୍ରାଥମିକତା ଦେବାକୁ ରାଜ୍ୟ
ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳ ଭିତ୍ତିଭୂମି
ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ବିଶାଳ ଧାର୍ମିକ ମହୋତ୍ସବର ଜାତୀୟ ପ୍ରଭାବକୁ ସ୍ୱୀକାର କରି
ପ୍ରଗତି ମଞ୍ଚ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ବ୍ୟତୀତ ଜ୍ଞାନ ବିନିମୟ ଏବଂ ସଂସ୍ଥାଗତ ଶିକ୍ଷା
ଲାଭ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲା। ଆଗକୁ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ କୁମ୍ଭ ମେଳା ଆୟୋଜନ ହେବାକୁ
ଥିବାରୁ ନବକଳେବର ପ୍ରସ୍ତୁତି ଅନୁଧ୍ୟାନ ଲାଗି ପୁରୀରେ ଦଳ ନିୟୋଜିତ କରିବା ଲାଗି ପରାମର୍ଶ
ଦିଆଯାଇଥିଲା। ଏହି
ଦୂରଦୃଷ୍ଟିପୂର୍ଣ୍ଣ ମାର୍ଗଦର୍ଶନ ଓଡ଼ିଶାର ପ୍ରୟାସକୁ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ
କାର୍ଯ୍ୟକାରିତାଯୋଗ୍ୟ ଉଦାହରଣ ରୂପେ ଗ୍ରହଣ କରିବା ଲାଗି ମାର୍ଗପ୍ରଶସ୍ତ କରିଥିଲା।
ଅନ୍ୟ ରାଜ୍ୟଗୁଡ଼ିକ ଓଡ଼ିଶାର ଶ୍ରେଷ୍ଠ ପ୍ରୟାସରୁ ଶିକ୍ଷା ଲାଭ
କରିଥିଲେ ଏବଂ ଏହା ଏକ ବିଶାଳ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ଆନ୍ତଃରାଜ୍ୟ ସମନ୍ୱୟରେ ମଧ୍ୟ
ସୁଧାର ଆଣିଥିଲା।
ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳ ଲାଇନ୍ ନବକଳେବର
2015 ସମୟରେ 50ରୁ 60 ଲକ୍ଷ ଯାତ୍ରୀଙ୍କ ଯାତାୟାତ ପାଇଁ ସୁବିଧା ଯୋଗାଇ ଦେଇଥିଲା। ଏହି କରିଡର ସିଙ୍ଗଲ ଲାଇନରୁ ଡବଲ୍ ଲାଇନ୍ ହେବା ଫଳରେ ଏହି ମାର୍ଗରେ ଟ୍ରେନ୍ ଏବଂ ଯାତ୍ରୀଙ୍କ କ୍ଷମତା ପ୍ରାୟ 2ରୁ 3 ଗୁଣ ବୃଦ୍ଧି ପାଇଥିଲା। ଅଧିକ ଭିଡ଼ ସମୟରେ 10ରୁ
15 ମିନିଟ୍ ବ୍ୟବଧାନରେ ଟ୍ରେନ୍ ଚଳାଚଳ କରିଥିଲା। ବର୍ଦ୍ଧିତ କ୍ଷମତା କାରଣରୁ ଭାରତୀୟ ରେଳବାଇ ଦୈନିକ ଲକ୍ଷାଧିକ
ଯାତ୍ରୀଙ୍କ ପରିବହନ କରିବାକୁ ସକ୍ଷମ ହୋଇଥିଲା। କେବଳ ସେତିକି ନୁହେଁ ଏହି ରେଳ ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ସାମାଜିକ
ଆର୍ଥିକ ଲାଭ ସହିତ ଜନକଲ୍ୟାଣରେ ମଧ୍ୟ ସହାୟକ ହୋଇଥିଲା। ଭାରତର ଏକ ପ୍ରମୁଖ ତୀର୍ଥସ୍ଥଳକୁ ଅଧିକ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ
ଯାତ୍ରା ସୁଗମ ହୋଇଥିଲା। ପାର୍ବଣ ଆବଶ୍ୟକତା ବ୍ୟତୀତ ଏହି ପ୍ରକଳ୍ପ ଦୀର୍ଘକାଳୀନ ଆଞ୍ଚଳିକ ଯୋଗାଯୋଗ, ପର୍ଯ୍ୟଟନ ଅଭିବୃଦ୍ଧି ଏବଂ ଆର୍ଥିକ କାର୍ଯ୍ୟକଳାପ କ୍ଷେତ୍ରରେ ମଧ୍ୟ
ଯୋଗଦାନ ଦେଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା