
ନୂଆଦିଲ୍ଲୀ, 06 ଜାନୁଆରୀ (ହି.ସ.) ଭାରତୀୟ ରେଳବାଇ ନଭେମ୍ବର ୨୦୨୫ ସୁଦ୍ଧା ଏହାର ନେଟୱାର୍କର ପ୍ରାୟ ୯୯.୨ ପ୍ରତିଶତ ବିଦ୍ୟୁତୀକରଣ କରିଛି, ଯାହା ଏହାକୁ ବିଶ୍ୱର ସବୁଠାରୁ ବ୍ୟାପକ ବିଦ୍ୟୁତୀକରଣ ହୋଇଥିବା ରେଳ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ କରିଛି।
ବିଦ୍ୟୁତୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଦୃଢ଼ ସଙ୍କଳ୍ପ ଏହି ସଫଳତା ହାସଲରେ ସହାୟକ ହୋଇଛି। କାରଣ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ପରେ ଏ ଦିଗକୁ ଗୁରୁତ୍ୱ ଦିଆଯାଇଥିଲା। ଫଳରେ ୨୦୦୪ରୁ ୨୦୧୪ ମସିହା ଭିତରେ ଯେଉଁ ବିଦ୍ୟୁତୀକରଣ କାର୍ଯ୍ୟ ପ୍ରତି ଦିନ ୧.୪୨ କିଲୋମିଟର ହାରରେ ହେଉଥିଲା, ତାହା ୨୦୧୯ରୁ ୨୦୨୫ ମସିହା ଭିତରେ ଦିନକୁ ୧୫ କିଲୋମିଟରକୁ ଛୁଇଁଥିଲା। ଏହାଦ୍ୱାରା କେବଳ ଡିଜେଲ ଉପରେ ନିର୍ଭର କରୁଥିବା ଭାରତୀୟ ରେଳବାଇ, ବର୍ତ୍ତମାନ ଦ୍ରୁତ ଗତିରେ ବୈଦ୍ୟୁତିକ ଚାଳନା ପାଇଁ ଅଗ୍ରସର ହେଉଛି। ଏହା ଆଧୁନିକ ଏବଂ ସ୍ଥାୟୀ ଭବିଷ୍ୟତ ଦିଗରେ ଏକ ବଡ଼ ପଦକ୍ଷେପ। ଏହି ପଦକ୍ଷେପ କେବଳ ବିଦ୍ୟୁତ୍ ତାର ବିଛାଉଛି ତାହା ନୁହେଁ, ବରଂ ୧୦୦ ପ୍ରତିଶତ ବିଦ୍ୟୁତୀକରଣ ମିଶନ ଦ୍ୱାରା ଟ୍ରେନ ଚଳାଚଳ ପୂର୍ବ ଅପେକ୍ଷା ଅଧିକ କ୍ଷୀପ୍ର ଓ ଦକ୍ଷ ହେବା ସହ ପ୍ରଦୂଷଣ ହ୍ରାସ ପାଉଛି। ପୁଣି ବିଦ୍ୟୁତୀକରଣ ମାର୍ଗରେ ଭାରତୀୟ ରେଳବାଇ ଏବେ ସୌର ଶକ୍ତିକୁ ବିକଳ୍ପ ଭାବେ ବ୍ୟବହାର କରିବା ଆରମ୍ଭ କରିଛି। ନଭେମ୍ବର ୨୦୨୫ ସୁଦ୍ଧା, ଭାରତୀୟ ରେଳବାଇ ଏହାର ସୌର ଶକ୍ତି କ୍ଷମତାକୁ ୮୯୮ ମେଗାୱାଟକୁ ବୃଦ୍ଧି କରିଛି, ଯାହା ୨୦୧୪ ମସିହାରେ ମାତ୍ର ୩.୬୮ ମେଗାୱାଟ ଥିଲା। ଅର୍ଥାତ୍ ଏକ ସବୁଜ ରେଳବାଇ, ନିର୍ଭରଯୋଗ୍ୟ ଶକ୍ତି ଏବଂ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ଦିଗରେ ଭାରତୀୟ ରେଳବାଇର ସଂକଳ୍ପ ସ୍ପଷ୍ଟ ହେଉଛି।
ଭାରତୀୟ ରେଳବାଇର ବିଦ୍ୟୁତୀକରଣର ଯାତ୍ରା ୧୯୨୫ ମସିହାରୁ ଆରମ୍ଭ ହୋଇଥିଲା। ସେତେବେଳେ ଦେଶର ପ୍ରଥମ ବୈଦ୍ୟୁତିକ ଟ୍ରେନ୍ ୧୫୦୦ ଭୋଲ୍ଟ ଡିସି ସିଷ୍ଟମ ସହାୟତାରେ ବମ୍ବେ ଭିକ୍ଟୋରିଆ ଟର୍ମିନସ ଏବଂ କୁର୍ଲା ହାର୍ବର୍ ମଧ୍ୟରେ ଚାଲିଥିଲା। ଏହା ଏକ ଛୋଟ ପଥ ଥିଲା, କିନ୍ତୁ ଏକ ଐତିହାସିକ ପଦକ୍ଷେପ ଥିଲା ରେଳ ଯାତ୍ରାରେ ଏକ ନୂତନ ଯୁଗ ଆରମ୍ଭ କରିଥିଲା।
ଏହାପରେ ରେଳବାଇକୁ ବିଦ୍ୟୁତୀକରଣ କରିବା ନିମନ୍ତେ ଉଦ୍ୟମ ଚାଲିଥିଲା। ହେଲେ ପ୍ରାରମ୍ଭିକ ଦଶକଗୁଡ଼ିକରେ ଏହାର ପ୍ରଗତି ସୀମିତ ଥିଲା। ଭାରତ ସ୍ୱାଧୀନତା ପାଇବା ବେଳକୁ ମାତ୍ର ୩୮୮ ରୁଟ୍ କିଲୋମିଟର ବିଦ୍ୟୁତୀକରଣ ହୋଇଥିଲା ଏବଂ କୋଇଲା ତଥା ଡିଜେଲ ଇଞ୍ଜିନର ପ୍ରାଧାନ୍ୟ ରହିଥିଲା। ବର୍ଷ ବର୍ଷ ଧରି ବିଦ୍ୟୁତିକରଣର ସମ୍ପ୍ରସାରଣ ଧୀର ମନ୍ଥର ହୋଇଥିଲା, କିନ୍ତୁ ପ୍ରକୃତ ପରିବର୍ତ୍ତନ ଗତ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳିଥିଲା, ଯେତେବେଳେ ଭାରତୀୟ ରେଳବାଇ ଏହାର କାର୍ଯ୍ୟକଳାପକୁ ଅଧିକ ସ୍ୱଚ୍ଛ ଏବଂ ଦକ୍ଷ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା। ୨୦୦୦ ମସିହାରେ ମୋଟ ରେଳପଥର ମାତ୍ର ୨୪ ପ୍ରତିଶତ ବିଦ୍ୟୁତୀକରଣ ହୋଇଥିବାବେଳେ, ୨୦୧୭ରେ ଏହା ୪୦ ପ୍ରତିଶତ ଏବଂ ୨୦୨୪ ଶେଷ ସୁଦ୍ଧା ୯୬ ପ୍ରତିଶତ ଅତିକ୍ରମ କରିଥିଲା।
ନଭେମ୍ବର ୨୦୨୫ ସୁଦ୍ଧା, ଭାରତ ସଫଳତାର ସହ ୬୯,୪୨୭ ରୁଟ୍ କିଲୋମିଟର ବିଦ୍ୟୁତୀକରଣ କରିସାରିଛି, ଯାହା ସମଗ୍ର ରେଳ ନେଟୱାର୍କର ପ୍ରାୟ ୯୯.୨ ପ୍ରତିଶତ। ଏଥିମଧ୍ୟରୁ ୪୬,୯୦୦ ରୁଟ୍ କିଲୋମିଟର କେବଳ ୨୦୧୪ ରୁ ୨୦୨୫ ମଧ୍ୟରେ ବିଦ୍ୟୁତୀକରଣ କରାଯାଇଛି।
ଭାରତୀୟ ରେଳବାଇର ୭୦,୦୦୧ ରୁଟ୍ କିଲୋମିଟର ବିଶିଷ୍ଟ ବ୍ରଡ୍ ଗଜ୍ ନେଟୱାର୍କର ୯୯.୨ ପ୍ରତିଶତ ଅଂଶ ଏବେ ବିଦ୍ୟୁତୀକରଣ ହୋଇସାରିଛି। ଏହା ସହିତ ଭାରତୀୟ ରେଳବାଇ ଏବେ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣର ଦ୍ୱାରଦେଶରେ ଛିଡ଼ା ହୋଇଛି, ଯାହା ସ୍ଥାୟୀ, ଦକ୍ଷ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ ପରିବହନ କ୍ଷେତ୍ରରେ ଏକ ବୈପ୍ଳବିକ ସଫଳତା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ