
ମୈସୁରୁ, ୬ ଜାନୁଆରୀ (ହି.ସ.)- ସମାଜରେ ଅସମାନତା ଏବେ ବି ରହିଛି, ଏବଂ ଯେପର୍ଯ୍ୟନ୍ତ ଏହା ଦୂର ନହୋଇଛି ଏବଂ ସମସ୍ତଙ୍କୁ ସମାନ ନ୍ୟାୟ ନମିଳିଛି, ସେ ଲୋକଙ୍କ ପାଇଁ ଲଢ଼ିବେ ଏବଂ କାମ କରିବେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଙ୍ଗଳବାର ଦିନ ମୈସୁରୁସ୍ଥିତ ତାଙ୍କ ବାସଭବନରେ ଗଣମାଧ୍ୟମ ସହିତ କଥାବାର୍ତା ସମୟରେ ଏହା କହିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବରାଜ ଆରାସୁଙ୍କ କାର୍ଯ୍ୟକାଳର ରେକର୍ଡ ସମକକ୍ଷ କରିବା ପ୍ରଶ୍ନ ସମ୍ପର୍କରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ, ସେ କେବେ ରେକର୍ଡ ଭାଙ୍ଗିବା ଉଦ୍ଦେଶ୍ୟରେ ରାଜନୀତିରେ ପ୍ରବେଶ କରିନାହାଁନ୍ତି । ଏହି ରେକର୍ଡ ଦୁର୍ଘଟଣାବଶତଃ ହାସଲ ହୋଇଥିଲା । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଦେବରାଜ ଆରାସୁ କେତେ ବର୍ଷ ରାଜ୍ୟ ନେତୃତ୍ୱ ନେଇଥିଲେ ସେ ବିଷୟରେ ସେ ଜାଣି ନଥିଲେ । ଲୋକଙ୍କ ଆଶୀର୍ବାଦ ଏବଂ ସମର୍ଥନରେ ଏହା ସମ୍ଭବ ହୋଇଥିଲା ।
ତାଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ପୂରଣ କରିବା ପ୍ରଶ୍ନ ସମ୍ପର୍କରେ, ସେ କହିଛନ୍ତି ଯେ ଏ ବିଷୟରେ ନିଷ୍ପତି ଦଳୀୟ ନେତୃତ୍ୱଙ୍କ ଉପରେ ନିର୍ଭର କରେ । ତଥାପି, ସେ ତାଙ୍କର କାର୍ଯ୍ୟକାଳ ପୂରଣ କରିବେ ବୋଲି ବିଶ୍ୱାସ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ, ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିଅର ତାଙ୍କୁ ସନ୍ତୋଷ ଦେଇଛି ଏବଂ ଲୋକଙ୍କ ପାଇଁ କାମ କରିବା ଏକ ଆନନ୍ଦ । ତାଙ୍କ ମତରେ, ରାଜନୀତିର ପ୍ରକୃତ ଅର୍ଥ ହେଉଛି ଗରିବ, ଦଳିତ ଏବଂ ପଛୁଆ ବର୍ଗଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ସେମାନଙ୍କ ସ୍ୱାର୍ଥ ପାଇଁ କାମ କରିବା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ