ଭେଡେନ ବ୍ରିଜ୍ ଖାଲ ନେଉଛି ଜୀବନ, ଦୁଇ ମାସରେ ୫ରୁ ଅଧିକ ଦୁର୍ଘଟଣା : ବର୍ଷ ବର୍ଷ ଧରି ମରାମତି ଅଭାବ, ଆନ୍ଦୋଳନ ପାଇଁ ସଜବାଜ ଅଞ୍ଚଳବାସୀ
Bheden bridge is in very poor condition
ଭେଡେନ ବ୍ରିଜ୍ର ଖାଲ ନେଉଛି ଜୀବନ, ଦୁଇ ମାସରେ ୫ରୁ ଅଧିକ


ଝାରସୁଗୁଡ଼ା, ୧୦ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ପୂର୍ତ୍ତ ବିଭାଗ ଅଧୀନରେ ଥିବା କୋଲାବିରା ବ୍ଲକର ସମାସିଂହା-ସୋଡାମାଳ ରାସ୍ତାର ଭେଡେନ ନଦୀ ବ୍ରିଜ୍ ର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ବ୍ରିଜ୍ ଉପରେ ସୃଷ୍ଟି ହୋଇଥିବା ଛୋଟବଡ଼ ଖାଲଖମା ଯାତ୍ରୀଙ୍କ ପାଇଁ ବିପଦର କାରଣ ପାଲଟିଥିବା ବେଳେ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବ୍ରିଜ୍ ଉପରେ ଥିବା ଖାଲ ଯୋଗୁଁ ଗତ ଦୁଇ ମାସ ମଧ୍ୟରେ ୫ରୁ ଅଧିକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବେଳେ କେତେକ ଏବେ ମଧ୍ୟ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏପରିକି ବ୍ରିଜ୍ ଖାଲରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ କୋଲାବିରା ସରପଞ୍ଚ ଚେତାନନ୍ଦ ନଈ ଏକ ବର୍ଷରୁ ଅଧିକ ସମୟ ଧରି ଶଯ୍ୟାଶାୟୀ ଥିବା ସୂଚନା ମିଳିଛି। ପ୍ରାୟ ୧୦ ଦିନ ପୂର୍ବରୁ ଘଟିଥିବା ଆଉ ଏକ ଦୁର୍ଘଟଣାରେ ରଜାମାଲ ଗ୍ରାମର ଜଣେ ବ୍ୟକ୍ତି ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ବ୍ରିଜ୍ ର ଏପରି ଦୟନୀୟ ଅବସ୍ଥା ସତ୍ତ୍ୱେ ପୂର୍ତ୍ତ ବିଭାଗ ପକ୍ଷରୁ ଦୀର୍ଘଦିନ ଧରି ଆବଶ୍ୟକ ମରାମତି କରାଯାଉ ନଥିବା ଅଭିଯୋଗ ହୋଇଛି। ଫଳରେ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ଆଶଙ୍କା ମଧ୍ୟରେ ଯାତ୍ରା କରୁଛନ୍ତି। ବିଭାଗର ଏହି ଅବହେଳାକୁ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ତୀବ୍ର ହେବା ସହ ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ସେମାନେ ସଜବାଜ ହେଉଥିବା ଜଣାପଡ଼ିଛି।

ସୋଡାମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବଳରାମ ପାଣ୍ଡେ ମଧ୍ୟ ଏହି ସମସ୍ୟାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ବ୍ରିଜ୍ ର ଖାଲଖମାକୁ ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏନେଇ ପୂର୍ତ୍ତ ବିଭାଗର ଏସଡିଓ ବନମାଳୀ ନାଏକଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ବ୍ରିଜ୍ ଉପରେ ଖାଲ ଥିବା ସମ୍ପର୍କରେ ବିଭାଗ ଅବଗତ ଅଛି। ଏହାର ମରାମତି ପାଇଁ ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ସୋଡାମାଳ ପଟୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ବ୍ରିଜ୍ ଉପରର ଖାଲଖମା ମରାମତି କାର୍ଯ୍ୟ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande