




ସମ୍ବଲପୁର, ୧୦ ଅକ୍ଟୋବର (ହି.ସ.)- ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଶନିବାର ସମ୍ବଲପୁର ଚିଡ଼ିଆଖାନା ଓ ସଂରକ୍ଷଣ କେନ୍ଦ୍ରଠାରେ ୭୨ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁର ଚିଡ଼ିଆଖାନାରୁ ହୀରାକୁଦ-ଦେବ୍ରିଗଡ଼ ଅଞ୍ଚଳକୁ ଦୁଇଟି ସଫାରି ଗାଡ଼ି ସେବାର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ବନ୍ୟପ୍ରାଣୀ ସପ୍ତାହ ଅବସରରେ ସମ୍ବଲପୁର ଜିଲ୍ଲାର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ୩୮ଟି ବିଦ୍ୟାଳୟ, ୧୦ଟି ମହାବିଦ୍ୟାଳୟ ଓ ୩ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ମୋଟ ୨୫୦ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ବିଦ୍ୟାଳୟସ୍ତରରେ କୁଇଜ୍ ଓ ଚିତ୍ରାଙ୍କନ, ମହାବିଦ୍ୟାଳୟ ସ୍ତରିୟ କୁଇଜ୍ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ କଳା, ଫଟୋଗ୍ରାଫି ଓ ବିତର୍କ ପ୍ରତିଯୋଗିତା ହୋଇଥିଲା। ପ୍ରକୃତି ଓ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ପର୍କିତ ବିଭିନ୍ନ ବିଷୟ ଏହି ପ୍ରତିଯୋଗିତାରେ ସ୍ଥାନ ପାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ଜିଲ୍ଲାର ତିନିଟି ଉପଖଣ୍ଡରୁ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଅବଦାନ ପାଇଁ ସୃଷ୍ଟି ପ୍ରଧାନ (ସମ୍ବଲପୁର ଉପଖଣ୍ଡ), ଗଜେନ୍ଦ୍ର ନାଏକ (କୁଚିଣ୍ଡା ଉପଖଣ୍ଡ) ଓ ଛବିଳ କୁମାର ପ୍ରଧାନ (ରେଢ଼ାଖୋଲ ଉପଖଣ୍ଡ)ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ଦିଆଯାଇଥିଲା। ସେହିପରି ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସମ୍ବଲପୁର ବନଖଣ୍ଡ ଅଧୀନରେ ଥିବା ଜଡୁଲୋଇସିଂହ ବନ ସୁରକ୍ଷା ସମିତି ସଭାପତି ଅମିତ ଭୋଇ, ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ପଥୁରିଆ ଇକୋ-ଡେଭଲପମେଣ୍ଟ କମିଟି ସଭାପତି ମଳୟ ଝାଙ୍କର ଏବଂ ରେଢ଼ାଖୋଲ ବନଖଣ୍ଡ ଅଧୀନରେ ଥିବା ମା’ ଭୁବନେଶ୍ୱରୀ ବନ ସୁରକ୍ଷା ସମିତି, ଡାଇଞ୍ଚା ସଭାପତି ସନ୍ତୋଷ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା।
ବନ୍ୟପ୍ରାଣୀ ସଂରକ୍ଷଣରେ ଅବଦାନ ପାଇଁ ଦୁଇ ପ୍ରଫେସର ସମ୍ବର୍ଦ୍ଧିତ। ହୀରାକୁଦ-ଦେବ୍ରିଗଡ଼ ଅଞ୍ଚଳରେ ବନ୍ୟପ୍ରାଣୀ ଓ ଜଳାଭୂମି ସଂରକ୍ଷଣ କ୍ଷେତ୍ରରେ ଅବଦାନ ପାଇଁ ଦୁଇ ଜଣ ବିଶିଷ୍ଟ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୱାଇଲ୍ଡଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଡେରାଡୁନ୍ ର ଅବସରପ୍ରାପ୍ତ ବରିଷ୍ଠ ପ୍ରଫେସର ତଥା ସାକନ୍ ର ପୂର୍ବତନ ନିର୍ଦ୍ଦେଶକ ଡ. କେ. ଶଙ୍କରଙ୍କୁ ହୀରାକୁଦ-ଦେବ୍ରିଗଡ଼ ଅଞ୍ଚଳରେ ଗୌର ସଂରକ୍ଷଣ ପାଇଁ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା। ସେହିପରି ମହାରାଷ୍ଟ୍ରର ଘାସଭୂମି ପରିବେଶ ବିଶେଷଜ୍ଞ ତଥା ପ୍ରଫେସର ଡ. ଗଜାନନ ଡି. ମୁରତକରଙ୍କୁ ଜଳାଭୂମି ସଂରକ୍ଷଣ ଓ ପରିବେଶଗତ ପୁନରୁଦ୍ଧାର କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହା ବ୍ୟତୀତ କେନ୍ଦୁପତ୍ର ତୋଳାଳି ପରିବାରର ୩୮ ଜଣଙ୍କୁ ମୃତ୍ୟୁଜନିତ କ୍ଷତିପୂରଣ ବାବଦରେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ବନ୍ୟପ୍ରାଣୀ ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଏବଂ ପ୍ରକୃତି ସହ ମଣିଷର ସହାବସ୍ଥାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ