

କନ୍ଧମାଳ, ୧୦ ଅକ୍ଟୋବର (ହି.ସ.)- ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଫୁଲବାଣୀ ମାନସିକ ସ୍ୱାସ୍ଥ୍ୟ ବିଭାଗ, କନ୍ଧମାଳଙ୍କ ସହାୟତାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପାବୁରିଆ ଏବଂ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସାରଙ୍ଗଡ ଠାରେ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ପରିକ୍ଷା ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ପରିକ୍ଷା ଶିବିରରେ ୪୭ ଓ ୫୨ ସମୁଦାୟ ୯୯ ଜଣ ସ୍ୱାସ୍ଥ୍ୟ ପରିକ୍ଷା କରି ଔଷଧ ଗ୍ରହଣ କରିଥିଲେ ।
ପାବୁରିଆ ଠାରେ ଡାକ୍ତର ରାଜଶ୍ରୀ ପ୍ରଧାନ, ଡାକ୍ତର ସୌଭାଗ୍ୟ ନାୟକ ଓ ଡାକ୍ତର ପ୍ରବିଣ କୁମାର ସାହୁ ଏବଂ ମାନସିକ ସ୍ୱାସ୍ଥ୍ୟ ସାମାଜିକ କର୍ମି ମାଳତି ବେହେରା ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନା କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଗ୍ରାମାଂଚଳରେ ଅବହେଳିତ ହୋଇ ଏବଂ ମାନସିକ ରୋଗର ଚିକିତ୍ସା କରି ନପାରି ରହିଯାଉଥିବା ରୋଗୀମାନଙ୍କୁ ଚିହ୍ନଟ କରିବା ଏବଂ ଜିଲ୍ଲା ମାନସିକ ରୋଗ ଚିକିତ୍ସା ବ୍ୟବସ୍ଥା ସହିତ ଯୋଡିବା । ଏହି ପରିପ୍ରେକ୍ଷିରେ ସ୍ୱାତୀ ଅନୁଷ୍ଠାନ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ବେସିକ ନିଡ ଇଣ୍ଡିଆ ସହିତ ମିଶି କାର୍ଯ୍ୟ କରୁଥିବା ବେଳେ ଏହି ସ୍ୱାସ୍ଥ୍ୟ ଶିବିରର ଆୟୋଜନ ନିଶ୍ଚିତ ଭାବରେ ଏକ ବଡ ପ୍ରଭାବ ପକାଇ ପାରିବ ବୋଲି ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ କହିଛନ୍ତି ।
ଶିବିରଟିକୁ ଗିରିଶ ଚନ୍ଦ୍ର ସାମଲ ଓ ଆଲୋକ ସାମନ୍ତରାୟ ପରିଚାଳନା କରିଥିବା ବେଳେ ସମସ୍ତ ଗୋଷ୍ଠି ସହାୟକ ମାନେ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ