
କେନ୍ଦ୍ରାପଡ଼ା, ୧୦ ଅକ୍ଟୋବର(ହି.ସ.) – ଷ୍ଟେଟବ୍ୟାଙ୍କ ଆଂଚଳିକ ବାଣିଜ୍ୟ କାର୍ଯ୍ୟାଳୟ, ପାରାଦୀପ ପକ୍ଷରୁ ଷ୍ଟେଟବ୍ୟାଙ୍କ ପେନସନର୍ସମାନଙ୍କ ଏକ ବାର୍ଷିକ ସମ୍ମିଳନୀ କେନ୍ଦ୍ରାପଡ଼ା ପୈାରାଂଚଳ ଅନ୍ତର୍ଗତ ଇଛାପୁରସ୍ଥିତ ଶ୍ୟାମକାଳୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଆଂଚଳିକ ମହାପ୍ରବନ୍ଧକ ପୀୟୁସରଞ୍ଜନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭାବଗ୍ରାହୀ କଳାନିକେତନର କଳାକାରମାନେ ବିମଳ ପରିଡ଼ାଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ। ଏହି ସମ୍ମିଳନୀରେ ଶତାଧିକ ପେନସନର୍ସ ଯୋଗଦେଇଥିବାରୁ ଆଂଚଳିକ ମହାପ୍ରବନ୍ଧକ ଶ୍ରୀ ସ୍ୱାଇଁ ଖୁସି ବ୍ୟକ୍ତକରି ଅବସର ପରେ ବରିଷ୍ଠମାନଙ୍କର ଏହା ପୁର୍ନମିଳନ ଏବଂ ସେମାନଙ୍କର ଅଭାବ, ଅସୁବିଧା ସମ୍ପର୍କରେ ଭାବର ଆଦାନ ପ୍ରଦାନ ଏଭଳି ଭେଟର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ। ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଗ ଓଡ଼ିଶା ସର୍କଲର ଆଂଚଳିକ ସମ୍ପାଦକ ଗଣେଶ୍ୱର ମେକାପ ଅବସର ପରେ ପେନସନଭୋଗିମାନେ ବ୍ୟାଙ୍କରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରି ଏହାର ନିରାକରଣ ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଏଥିସହିତ ଶ୍ରୀ ମେକାପ କେନ୍ଦ୍ରାପଡ଼ା ଷ୍ଟେଟବ୍ୟାଙ୍କ ଡିସପେନସରୀ ଖୋଲାଯିବାରେ ବହୁତ ବିଳମ୍ବ ହେଉଥିବାରୁ ଗଭୀର ଉଦବେଗ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘର ରାଜ୍ୟ ଉପସଭାପତି ଶିବପ୍ରସାଦ ବେହେରା ପେନସନର୍ସ ସଙ୍ଘ କିଭଳି ବ୍ୟାଙ୍କ କର୍ତୃପକ୍ଷଙ୍କ ସହ ଆଲୋଚନା କରି ଷ୍ଟେଟବ୍ୟାଙ୍କ ଟ୍ରିବ୍ୟୁଟ ତଥା ସ୍ୱାସ୍ଥ୍ୟବୀମାର ଉନ୍ନତିକରଣ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବେ ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘର ଓଡ଼ିଶା ରାଜ୍ୟ ସାଂଗଠନିକ ସମ୍ପାଦକ ଅନ୍ନଦାଶଙ୍କର ଜେନା ପେନସନର୍ସ ସଙ୍ଘର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କିତ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ ଓଡ଼ିଶା ରାଜ୍ୟ ପୂର୍ବତନ ସଭାପତି ସ୍ୱାଧୀନ କୁମାର ଦାଶ ସଙ୍ଘର ଆବଶ୍ୟକତା ତଥା ବ୍ୟାଙ୍କ କର୍ତୃପକ୍ଷ ଏଭଳି ସମ୍ମିଳନୀ ବର୍ଷକୁ ଥରେ ଆୟୋଜନ କରିବାର ନିଷ୍ପତିକୁ ସ୍ୱାଗତ ଜଣାଇ ଏହାଦ୍ୱାରା ଅବସର ପରେ ବରିଷ୍ଠମାନେ ବହୁତ ମାନସିକ ଶାନ୍ତି ପାଉଥିବା ପ୍ରକାଶ କରିଥିଲେ। କେନ୍ଦ୍ରାପଡ଼ା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟପରିଚାଳକ ଅର୍କଜ୍ୟୋତି ଭଟ୍ଟାଚାର୍ଯ୍ୟ ସମ୍ମିଳନୀରେ ଉପସ୍ଥିତ ଥିଲେ। ୭୫ବର୍ଷରୁ ଅଧିକ ବରିଷ୍ଠ ପେନସନର୍ସମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଆଂଚଳିକ ବାଣିଜ୍ୟ କାର୍ଯ୍ୟାଳୟର ଅଧିକାରୀ ସ୍ଥିତିପ୍ରଜ୍ଞା ସାହୁ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଆଂଚଳିକ କାର୍ଯ୍ୟାଳୟର ମାନବସମ୍ବଳ ପରିଚାଳକ ଶକ୍ତିପ୍ରସନ୍ନ ପତି ଧନ୍ୟବାଦ ଅର୍ପଣ କରିଥିବାବେଳେ ଉପପରିଚାଳକ ପ୍ରଣୟ ସାମଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି