
କନ୍ଧମାଳ, ୧୦ ଅକ୍ଟୋବର(ହି.ସ.) – କନ୍ଧମାଳ ଜିଲ୍ଲାର ପାରମ୍ପରିକ ଖାଦ୍ୟ, ଫସଲ, ଦେଶୀ ବିହନ ଓ ଅବହେଳିତ ଫସଲଗୁଡ଼ିକର ସଂରକ୍ଷଣ ଏବଂ ପୁନରୁଦ୍ଧାର ଉଦ୍ଦେଶ୍ୟରେ ତୁମୁଡ଼ିବନ୍ଧ ବ୍ଲକ୍ର ଏଫ୍.ଆଇ.ଏ.ସି. ଭବନ ଠାରେ ଭୁଲିଯାଇଥିବା ଖାଦ୍ୟ ଏବଂ ଅବହେଳିତ ଫସଲର ପୁନରୁଦ୍ଧାର ଓ ସ୍ଥାୟିତ୍ୱ ପ୍ରକଳ୍ପ ଅଧୀନରେ ଏକ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସ୍ୱାତୀ ଅନୁଷ୍ଠାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ତୁମଡ଼ିବନ୍ଧ ବ୍ଲକ୍ର କୃଷି ଅଧିକାରୀ ଅନିଲ କୁମାର ବେହେରା ଉପସ୍ଥିତ ରହି ପାରମ୍ପରିକ ଫସଲର ପୁନରୁଦ୍ଧାର, ଦେଶୀ ବିହନର ସଂରକ୍ଷଣ, କୃଷି ଜୈବ ବିଭିଦତାର ସୁରକ୍ଷା, ସ୍ଥାନୀୟ ଖାଦ୍ୟ ପରମ୍ପରାର ପ୍ରସାର ଏବଂ ପୋଷଣ ସୁରକ୍ଷା ବିଷୟରେ ଗୁରୁତ୍ୱ ଦେଇଥିଲେ। ଏଥିସହିତ ଗ୍ରମ୍ୟ ସ୍ତରରେ ପାରମ୍ପରିକ ଫସଲ ଚିହ୍ନଟ, ଦେଶୀ ବିହନ ସଂଗ୍ରହ ଓ ସଂଗ୍ରକ୍ଷଣ, ଚାଷୀମାନଙ୍କ ସହଭାଗିତା ବୃଦ୍ଧି ଏବଂ ବିଭିନ୍ନ ବିଭାଗର ସମନ୍ୱୟରେ ପ୍ରକଳ୍ପକୁ ସଫଳ କରିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ପାରମ୍ପରିକ ଫସଲ ଓ ସ୍ଥାନୀୟ ଖାଦ୍ୟ ସମ୍ପଦର ସୁରକ୍ଷା ମାଧ୍ୟମରେ ଚାଷୀଙ୍କ ଜିବିକାକୁ ସୁଦୃଢ଼ କରିବା ସହିତ ଆଗାମୀ ପିଢ଼ି ପାଇଁ ଏହି କୃଷି ଐତିହକୁ ସଂରକ୍ଷିତ ରଖିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ କ୍ଷେତ୍ର ସମ୍ବଳ ବ୍ୟକ୍ତି ଓ ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ପରିଚାଳନା କରିଥିବାବେଳେ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ