
- ସମ୍ବଲପୁର ଚିଡ଼ିଆଖାନାକୁ ମଧ୍ୟମ ଧରଣର ଚିଡ଼ିଆଖାନାରେ ପରିଣତ କରାଯିବ
ସମ୍ବଲପୁର/ଭୁବନେଶ୍ୱର,୧୦ ଅକ୍ଟୋବର(ହି.ସ)- ପ୍ରକୃତି ଓ ମଣିଷର ସନ୍ତୁଳନ ରକ୍ଷା କରି ସମ୍ବଲପୁରର ଜଙ୍ଗଲ, ବନ୍ୟପ୍ରାଣୀ ଓ ପର୍ଯ୍ୟାବରଣର ସୁରକ୍ଷା ଆମର ସାମୂହିକ ଦାୟିତ୍ୱ ବୋଲି ଶନିବାର ସମ୍ବଲପୁର ଚିଡ଼ିଆଖାନା ପରିସରରେ ୭୨ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁରର ଜଙ୍ଗଲ ଆଚ୍ଛାଦନ, ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ଆଧାରିତ ଅର୍ଥନୀତି ଏବଂ ସ୍ୱଚ୍ଛତା ଉପରେ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ନୂଆ ପିଢ଼ି ଓ ଯୁବସମାଜ ଭିତରେ ବନ୍ୟଜନ୍ତୁ ଏବଂ ପରିବେଶ ସୁରକ୍ଷା ପ୍ରତି ଆକର୍ଷଣ ଓ ସଚେତନତା ବୃଦ୍ଧି କରିବା ଦିଗରେ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହର ଆୟୋଜନ ପ୍ରଶଂସନୀୟ । ସେ ଆହୁରି କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ପାଖାପାଖି ୪୬ ଭାଗ ଭୂଖଣ୍ଡ ଜଙ୍ଗଲ ଆଚ୍ଛାଦିତ ରହିଛି । ସହର ଭିତରର ଚିଡ଼ିଆଖାନା, ବୁଢ଼ାରାଜା ମନ୍ଦିର ରିଜର୍ଭ ଫରେଷ୍ଟ ଏବଂ ସର୍କିଟ୍ ହାଉସ ପାଖ ଜଙ୍ଗଲ ସମେତ ହୀରାକୁଦ ଜଳାଶୟ, ଦେବ୍ରିଗଡ଼, ଉଷାକୋଠି, ଖଳାଶୁଣି, ଭୀମମଣ୍ଡଳୀ ଓ ବାମରା ଜଙ୍ଗଲଗୁଡ଼ିକୁ ମିଶାଇ ସମ୍ବଲପୁରର ଏକ ନିଆରା ପରିଚୟ ରହିଛି । ସମ୍ବଲପୁର ସ୍ଥିତ ଚିଡିଆଖାନାକୁ ଭାରତ ସରକାର ଓ ଜଙ୍ଗଲ ବିଭାଗର ଯୋଜନା ଅନୁଯାୟୀ ଏକ ମିଡିୟମ୍ ସାଇଜ୍ ଜୁ' ବା ମଧ୍ୟମ ଧରଣର ଚିଡ଼ିଆଖାନା ରୂପେ ପରିଣତ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ମିଶି ସମସ୍ତ ଆବଶ୍ୟକୀୟ ଜାଗା ଓ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା କେବଳ ଜୀବଜନ୍ତୁ ଦେଖିବାର ସ୍ଥାନ ନୁହେଁ, ବରଂ ପଢ଼ିବାର ଓ ଅନୁଭବ କରିବାର ଏକ ପ୍ରୟୋଗଶାଳା ଅଟେ ।
କେନ୍ଦୁପତ୍ର, ଶାଳମଞ୍ଜି, ମହୁଲ ଏବଂ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଭଳି ଜଙ୍ଗଲ ଆଧାରିତ ଅର୍ଥନୀତିକୁ ଭାରତ ସରକାରଙ୍କ ବନଧନ ଯୋଜନା' ଏବଂ ଓଡ଼ିଶା ସରକାରଙ୍କ ସକ୍ରିୟ ସହଯୋଗରେ ଆଗାମୀ ଦିନରେ ଅଧିକ ସୁବ୍ୟବସ୍ଥିତ କରାଯିବ । କେନ୍ଦୁପତ୍ର ତୋଳାଳୀମାନଙ୍କୁ ସ୍ୱତନ୍ତ୍ର କ୍ୟାପିଟାଲ୍ ରିଲିଫ୍ ପ୍ରଦାନ କରାଯାଉଛି । ବିଶ୍ୱାସର ସହ ବିକାଶ ଓ ଅର୍ଥନୈତିକ ଉନ୍ନତି ହେବା ସହିତ ପର୍ଯ୍ୟାବରଣ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ସର୍ବଦା ଅପରିହାର୍ଯ୍ୟ । ନିକଟରେ ଘଟିଥିବା କିଛି ଅଘଟଣକୁ ଦୃଷ୍ଟିରେ ରଖି ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ପ୍ଲାଷ୍ଟିକ ଓ ଡିସ୍?ପୋଜେବଲ୍ କପ୍? ବଦଳରେ ମାଟି ପାତ୍ର କିମ୍ବା ବାଉଁଶରେ ପ୍ରସ୍ତୁତ ପାତ୍ର ବ୍ୟବହାର କରି ପରିବେଶକୁ ପ୍ରଦୂଷଣମୁକ୍ତ କରିବାକୁ ହେବ ।
ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ଜିଲ୍ଲାରେ ପାଳିତ ସ୍ୱଚ୍ଛତା ଦିବସ ଅବସରରେ, ସମ୍ବଲପୁରର ସମସ୍ତ ନାଗରିକ ଦିନକୁ ଅନ୍ତତଃ ଦୁଇ ଘଣ୍ଟା ସମୟ ଦେଇ ନିଜ ନିଜ ଅଞ୍ଚଳର ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ପାଇଁ ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଜଙ୍ଗଲ, ବନ୍ୟପ୍ରାଣୀ, ମଣିଷ ଏବଂ ବିକାଶ, ସମସ୍ତଙ୍କୁ ନେଇ ସମ୍ବଲପୁରକୁ ଏକ ଆଦର୍ଶ ଜିଲ୍ଲା ଭାବରେ ଗଢ଼ିବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଜରୁରୀ ବୋଲି ସେ କହିଛନ୍ତି ।
ଏହି ଅବସରରେ ସାଂସଦ ଶ୍ରୀ ପ୍ରଧାନ ସମ୍ବଲପୁରର ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରରେ ଆୟୋଜିତ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଏବଂ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ଏବଂ ଶ୍ରେଷ୍ଠ ବନ ସଂରକ୍ଷଣ ସମିତି ଓ ଇକୋ-ଡେଭେଲୋପମେଣ୍ଟ କମିଟିକୁ ପୁରସ୍କୃତ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା