
ପୁରୀ, ୨୫ ଅକ୍ଟୋବର (ହି.ସ.)- ମହାକାର୍ତ୍ତିକରେ ମହାପୁଣ୍ୟ ଅର୍ଜନ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଶହ ଶହ ହବିଷାଳୀ । ରାଜ୍ୟ ସରକାରଙ୍କ ପକ୍ଷରୁ ତିନୋଟି ହବିଷାଳୀ କେନ୍ଦ୍ରରେ ପ୍ରାୟ ୨୪ ଶହ ହବିଷାଳୀ ରହିବା ପାଇଁ ବ୍ଯବସ୍ଥା ହୋଇଛି । ଅକ୍ଟୋବର ୨୬ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ଏକମାସ ଧରି ହବିଷାଳୀ ମାନେ ହବିଷ ପାଳନ କରିବା ସହ ରାଈଦାମୋଦର ପୂଜା, ଆକାଶ ଦୀପ ଜାଳିବା, ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଓ ମହାପ୍ରସାଦ ସେବନ ବ୍ଯବସ୍ଥା କରାଯାଇଛି । ଅନଲାଇନରେ ଆବେଦନ କରି ଯୋଗ୍ଯ ବିବେଚିତ ହବିଷାଳୀ ମାନଙ୍କୁ ହବିଷାଳୀ କେନ୍ଦ୍ରରେ ରଖାଯାଉଛି । ଆଧୁନିକ ଅନଲାଇନ ସିଷ୍ଟମରେ ଯେଉଁ ହବିଷାଳୀ ମାନେ ଯୋଗ୍ୟ ହୋଇପାରି ନାହାନ୍ତି ସେମାନେ ମଧ୍ଯ ହବିଷାଳୀ କେନ୍ଦ୍ର ଆଗରେ ବସି ଧାରଣା ସହ ହୋହାଲ୍ଲା କରୁଛନ୍ତି ।
ଏକମାସ ଧରି ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିବ । ମହୋଦଧି, ଶ୍ବେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ରରେ ହବିଷାଳୀ ମାନେ ସ୍ନାନ କରି ରାଈଦାମୋଦର ପୂଜା କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ବୃନ୍ଦାବତୀ ନିବାସରେ ପୁରୀ, ଖୋର୍ଦ୍ଧା, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ହବିଷାଳୀ ମାନେ ରହିବେ । ମୋଚିସାହି କଲ୍ୟାଣ ମଣ୍ଡପରେ ଗଞାମ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ହବିଷାଳୀ ମାନେ ରହିବେ । ସେହିପରି ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ଅନ୍ଯ ଜିଲ୍ଲାର ହବିଷାଳୀ ମାନେ ରହିବା ବ୍ଯବସ୍ଥା କରାଯାଇଛି । ତିନୋଟି ହବିଷାଳୀ କେନ୍ଦ୍ରରେ ମାସକଯାକ ଭଜନ କୀର୍ତ୍ତନ ଓ ପ୍ରବଚନ କାର୍ଯ୍ଯକ୍ରମ ରହିଛି । ସରକାରୀ ଯୋଜନାରେ ଉପକୃତ ହୋଇଥିବା ୨୪ ଶହ ହବିଷାଳୀଙ୍କ ବ୍ଯତୀତ ଆଉ ପ୍ରାୟ ୫ ହଜାର ହବିଷାଳୀ ବିଭିନ୍ନ ମଠ, ଧର୍ମଶାଳା ଓ ଭଡାଘରେ ରହି ଶ୍ରୀକ୍ଷେତ୍ରରେ ହବିଷ ପାଳନ ସହ ଶ୍ରୀଜୀଉଙ୍କ ଦର୍ଶନ କରିବେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ