
ମାଲକାନଗିରି, ୨୫ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପାପଲୁର ପଞ୍ଚାୟତର ନାଗଲୁର ଗ୍ରାମ ନିକଟ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ଉପରେ କାଲିମେଳା ପୋଲିସ ବଡ଼ ଧରଣର ଚଢ଼ଉ କରିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ନାଗଲୁର ଗ୍ରାମର କଟିଆ ନାଇଡୁ (୩୦) ।
ମିଳିଥିବା ସୂଚନା ଅନୁଯାୟୀ, ନାଗଲୁର ନିକଟ ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଚାଷ ଚାଲିଥିବା ନେଇ କାଲିମେଳା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏନେଇ ମାଲକାନଗିରି ଏସପିଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ନାଗଲୁର ଗ୍ରାମରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ପ୍ରାୟ ୨ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହେଉଥିବା ଦେଖିବାକୁ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ୨ ହଜାରରୁ ଊର୍ଦ୍ଧ୍ୱ ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ନଷ୍ଟ କରିଦେଇଛି । ଏହି ବେଆଇନ କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ