କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର, ୨୦ ସାଂସଦଙ୍କ ପାଟିରେ ତୁଣ୍ଡି
ଜୟପୁର, ୨୫ ଅକ୍ଟୋବର (ହି.ସ.)- ଓଡିଶା ସୀମାନ୍ତ କୋରାପୁଟ ଜିଲାର କୋଟିଆରେ ନିଜର ଆଧିପତ୍ୟ ଦାବି କରିଆସୁଛି ଆନ୍ଧ୍ର । ୨୦ ସାଂସଦ ପାଟି ଚୁପ୍ କରି ବସିଥିବା ସାରା ଓଡିଶା ବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ଆନ୍ଧ୍ରର ସରକାରୀ ଅଧିକାରୀ ଓଡି଼ିଶା ସୀମାରେ ପଶି ରାସନ କାର୍ଡ ବାଣ୍ଟୁଥିଲେ । ଭତ
କୋଟିଆରେ  ନିର୍ବାଚନ କରୁଛି ଆନ୍ଧ୍ର, ୨୦ ସାସଂଦ ପାଟି ରେ ତୁଣ୍ଡି


ଜୟପୁର, ୨୫ ଅକ୍ଟୋବର (ହି.ସ.)- ଓଡିଶା ସୀମାନ୍ତ କୋରାପୁଟ ଜିଲାର କୋଟିଆରେ ନିଜର ଆଧିପତ୍ୟ ଦାବି କରିଆସୁଛି ଆନ୍ଧ୍ର । ୨୦ ସାଂସଦ ପାଟି ଚୁପ୍ କରି ବସିଥିବା ସାରା ଓଡିଶା ବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପୂର୍ବରୁ ଆନ୍ଧ୍ରର ସରକାରୀ ଅଧିକାରୀ ଓଡି଼ିଶା ସୀମାରେ ପଶି ରାସନ କାର୍ଡ ବାଣ୍ଟୁଥିଲେ । ଭତ୍ତା ଲୋଭ ଦେଖାଉଥିଲେ । ଏବେ ସିଧାସଳଖ ନିର୍ବାଚନ କରାଇ ଏଠାରେ ଅଧିକାର ଜାହିର କରିବା ମସୁଧାରେ ରହିଛି ପଡ଼ୋଶୀ ରାଜ୍ୟ । ପ୍ରାର୍ଥିପତ୍ର ଦାଖଲ ସରିଛି, କୋଟିଆର ବିଭିନ୍ନ ଗାଁ ଗୁଡ଼ିକରେ ପ୍ରଚାର ଆରମ୍ଭ କରିବା ସହ ଆନ୍ଧ୍ର ସରକାରଙ୍କ କୃଷକ ଭତ୍ତା, ଆମ୍ମାବାଡି ଭଳି ବିଭିନ୍ନ ସରକାରୀ ଯୋଜନାର ଲୋଭ ଦେଖାଉଛନ୍ତି ପ୍ରାର୍ଥୀ । ଏସବୁ ଭିତରେ କୋଟିଆ କେବଳ ବାହାନା ହୋଇଥିବା ବେଳେ ଏହି ଅଞ୍ଚଳର ମାଟିତଳେ ରହିଥିବା ପ୍ରାଚୁର୍ଯ୍ୟ ଉପରେ ଆନ୍ଧ୍ର ସରକାରଙ୍କ ଆଖି ରହିଛି ବୋଲି କୁହାଯାଉଛି । ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି କୋଟିଆ ସୀମା ବିବାଦର ସମାଧାନ କରିପାରିନଥିଲା । ଶେଷରେ ମାମଲା କୋର୍ଟକୁ ଯାଇଥିଲା । ଏବେ ବି ଏଥିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ । ହେଲେ ଆନ୍ଧ୍ର ଗୋଟେ ପାଦ ଆଗକୁ ଯାଇ ପୁଣି କୋଟିଆରେ ନିର୍ବାଚନ କରୁଛି । ଓଡ଼ିଶା ସରକାର ପୁଣି ସୁପ୍ରିମକୋର୍ଟ ଯାଇଛନ୍ତି । ହେଲେ ଆନ୍ଧ୍ର ସରକାରର ଏଭଳି ପଦକ୍ଷେପ ବିରୋଧରେ ପଦୁଟିଏ ବି ମୁହଁ ଖୋଲି କହୁନାହାନ୍ତି । ଜିଲ୍ଲାପାଳ ଓ ଏସ୍ପିଙ୍କୁ ଦାୟିତ୍ୱ ଦେଇ ଚୁପ୍ ବସିଛନ୍ତି । ସେପଟେ ନବୀନଙ୍କ ନିର୍ଦ୍ଦେଶ କ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏ ପ୍ରସଙ୍ଗରେ ସବୁଦଳ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ଯାହା ବହୁ ପୂର୍ବରୁ କରିବା କଥା, ଏବେ ସରକାର ଏହି ପଦକ୍ଷେପ ନେଉଛନ୍ତି । ନେଡ଼ି ଗୁଡ଼ କହୁଣିକୁ ବୋହିଗଲା ପରେ ବିରୋଧୀଙ୍କ ଆକ୍ରୋଶରୁ ବର୍ତିବା ଓ ଜନମତକୁ ସମ୍ମାନ ଦେବା ଲାଗି ସରକାର ଅପଚେଷ୍ଟା କରୁଛନ୍ତି । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ସଭାପତି ଝିନ ହିକକା ଓ ରାଜ୍ୟସ୍ତରୀୟ ଟିମ୍ କୋଟିଆ ଗସ୍ତ କରିବା ସହ ସମିକ୍ଷା କରି ଫେରି ରିପୋର୍ଟ ପ୍ରଦାନ କରିଛନ୍ତି । କୋଟିଆରେ ଆନ୍ଧ୍ରର ଦାଦାଗିରିକୁ ନେଇ ବିଜେଡି ବିରୋଧ କରିବ । ଟିମ୍ ରେ ପ୍ରଦୀପ ମାଝୀ, ରମେଶ ମାଝୀ, ଭୃଗୁ ବକ୍ସିପାତ୍ର, ରବି ନନ୍ଦ, ତୁମ୍ଭନାଥ ପଣ୍ଡାଙ୍କ ସମେତ ଅନେକ ବିଜେଡି ନେତା ଉପସ୍ଥିତ ଥିଲେ । ଓଡ଼ିଆ ଅସ୍ମିତାର ଅସଲ ଲଢ଼େଇ ହେଉଛି କୋଟିଆ । ଏହି ଜଟିଳ ବିବାଦର ସମାଧାନ ନେଇ କେବଳ ସୁପ୍ରିମକୋର୍ଟ ନୁହେଁ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାର ଆବଶ୍ୟକତା ମଧ୍ୟ ରହିଛି । ଗୋଟିଏ ପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଅନ୍ୟପଟେ ଓଡ଼ିଶାର୨୦ ସାଂସଦଙ୍କର ସମର୍ଥନ ରହିଛି କେନ୍ଦ୍ରକୁ । କିନ୍ତୁ, ଓଡ଼ିଶାର ସାଂସଦମାନଙ୍କ ନିରବତା ଅନେକ ସନ୍ଦେହ ସୃଷ୍ଟି କରିଛି । ସାଂସଦଙ୍କ ପାଇଁ ମାଟି ବଡ଼ ନା ପାର୍ଟି ବଡ଼ । ତାହା ଆଗକୁ ସ୍ପଷ୍ଟ ହେବ । ତେବେ ମହାନଦୀ ଜଳ ବିବାଦ ଭଳି କୋଟିଆ ବିବାଦରେ ଆପୋସ ବୁଝାମଣା ପାଇଁ ହସ୍ତକ୍ଷେପ କରିବେ କି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଜଳ ବିବାଦର ସମାଧାନ ଭଳି କୋଟିଆ ବିବାଦର ଆଶୁ ସମାଧାନ ଦିଗ କେନ୍ଦ୍ର ସରକାର ବାହାର କରିବା ଉଚିତ । କେନ୍ଦ୍ରରେ ମୋଦୀ ସରକାରଙ୍କ ଭାଗୁଆଳି ଦଳ ଥିବା ଆନ୍ଧ୍ର ଟିଡିପିର ପଦକ୍ଷେପ ବିରୋଧରେ ମୁହଁ ଖୋଲିବାକୁ ମୋହନ ସରକାର ସାହାସ ଜୁଟାଇ ପାରୁନାହାନ୍ତି । କେନ୍ଦ୍ରରୁ ଟିଡିପି ଓହରିଗଲେ ମୋଦୀ ସରକାର ଭାଙ୍ଗିଯିବାର ଭୟ ରହୁଛି । ତେଣୁ, କେନ୍ଦ୍ର ସରକାର ଏନେଇ ନୀରବ ରହିବା ସ୍ୱାଭାବିକ । ହେଲେ ଓଡ଼ିଆ ଅସ୍ମିତାର ସୁରକ୍ଷାଲାଗି ରାଜ୍ୟ ସରକାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ ନକଲେ ରାଜ୍ୟବାସୀ କେବେହେଲେ କ୍ଷମା ଦେବେନାହିଁ । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ମୋହନ ସରକାର ଏନେଇ ସତର୍କ ହେବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର କ'ଣ ପଦକ୍ଷେପ ନେଉଛନ୍ତି ତାହାକୁ ଜିଲା ବାସି ଅପେକ୍ଷା କରିଛନ୍ତି । ଭୋଟ ଆଳରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି କୋଟିଆ ବାହାନା କରି ଖଣି ଖାଦନ ଉପରେ ନଜର ରଖିଛି । ଏବେ ଭାତ, ଡାଲି ଖୁଆଇ, ଭୋଟ ନେଇ କୋଟିଆ ସୀମାନ୍ତରେ ଅସ୍ତିତ୍ୱ ଜାହିର କରିବାକୁ ଚାହୁଞ୍ଚି ଆନ୍ଧ୍ର । ହେଲେ ଏହା ପଛରେ ପଡ଼ୋଶୀ ରାଜ୍ୟର ରହିଛି ବିରାଟ ଚକ୍ରାନ୍ତ । କାରଣ ଓଡ଼ିଶାର ଭୂସ୍ୱର୍ଗ କୁହାଯାଉଥିବା କୋଟିଆର ମାଟି ତଳେ ଥିବା ସମ୍ପଦ ଉପରେ ଆନ୍ଧ୍ରର ଆଖି ରହିଛି । କୋଟିଆରେ ନିର୍ବାଚନ କରି ଏଠାରେ ଥିବା ଖଣି ଖାଦାନ ଲୁଟ୍ କରିବା ଲାଗି ଚକ୍ରାନ୍ତ ଚଳାଇଛି ଆନ୍ଧ୍ର । ଓଡ଼ିଶା ସରକାର ଆନ୍ଧ୍ର ପ୍ରଶାସନକୁ ରୋକିବାରେ ବିଫଳ ହୋଇଛନ୍ତି । ଏମିତିକି ବିରୋଧ କରିବାର ସାହାସ ଜୁଟାଇ ପାରୁନାହାନ୍ତି । ଏପରି ସମୟରେ ସନ୍ଦେହରେ ଓଡ଼ିଶା ସାଂସଦଙ୍କ ନିରବତା, ୨୦ ସାଂସଦ ପାଟିରେ ତୁଣ୍ଡି ବାନ୍ଧି ବସିଥିବାରୁ ରାଜ୍ୟ ବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande