
ଗଂଜାମ, 27 ଅକ୍ଟୋବର (ହି.ସ.) ପ୍ରବଳ ବର୍ଷାର ମୁକାବିଲା ପାଇଁ ସବୁ ଦୃଷ୍ଟିରୁ ପ୍ରସ୍ତୁତ ରହିବାକୁ ଅଫିସର ଏବଂ ଯନ୍ତ୍ରୀମାନଙ୍କୁ କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତିି। ଗୋଟିଏ ପଟେ କଣ୍ଟ୍ରୋଲ ରୁମ ଜରିଆରେ ହସ୍ତଗତ ଅଭିଯୋଗଗୁଡିକର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଅନ୍ୟପଟେ ସମ୍ଭାବ୍ୟ ଜଳବନ୍ଦୀ ପରିସ୍ଥିତିର ସଫଳ ମୁକାବିଲା ପାଇଁ ପ୍ରମୁଖ ନାଳଗୁଡିକର ଆବର୍ଜନା ସଫେଇ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ଲଗାତାର ଆଜି ଦ୍ୱିତୀୟ ଦିନ ପାଇଁ ବ୍ରହ୍ମାପଲ୍ଲୀ, ଶ୍ୟାମ ନଗର, ଗଜପତି ନଗର, ସିଦ୍ଧାର୍ଥ ନଗର, ଅନ୍ନପୂର୍ଣ୍ଣା ନଗର, ଗାନ୍ଧୀ ନଗର ଆଦି ଅଞ୍ଚଳରେ ପ୍ରମୁଖ ନାଳଗୁଡିକର ସଫେଇ କରାଯାଇଥିଲା। ସେହିପରି ନିଗମ ପକ୍ଷରୁ କୌତୁକୀ ନଗର,ଅନ୍ଧପସରା ରୋଡ, ଗୋଷାଣି ନୂଆଗାଁ ଆରଆଇ ଅଫିସ ନିକଟ, ଆଗୁଳା ବନ୍ଧ ଓଭରବ୍ରିଜ ତଳ, ଓମ ନଗର, ପିଚିପିଚା ନଗର, ଜୟପ୍ରକାଶ ନଗର,ବାପୁଜୀ ନଗର,ବୈଦ୍ୟନାଥ ନଗର, ନୂଆ ବସଷ୍ଟାଣ୍ଡ, ବିଇଡିଏ କମ୍ପ୍ଲେକ୍ସ, ଗୋପାଳପୁର ଜଙ୍କସନ ନିକଟ ହାଉସିଂ ବୋର୍ଡ କଲୋନୀ ଇତ୍ୟାଦି ସ୍ଥାନରେ ମଧ୍ୟ ନାଳ ସଫେଇ ଦିନ ତମାମ ଲାଗିରହିଥିଲା। ଓଡ୍ରାଫ ଟିମ ସହାୟତାରେ ବିପଦସଂକୁଳ ଗଛଗୁଡ଼ିକର ଡାଳ କାଟିବା କାର୍ଯ୍ୟ ଜାରି ରହିଛି। ଏନଡିଆରଏଫର ଏକ ୟୁନିଟ ବ୍ରହ୍ମପୁରରେ ପହଞ୍ଚିବ ବୋଲି ନିଗମ ତରଫରୁ ସୂଚନା ଦିଆଯାଇଛି। ହରିଡାଖଣ୍ଡି ଲକ୍ଷ୍ମୀନୃସିଂହ ସାହି ଶେଷ ସୀମାରେ ଜଳ ନିଷ୍କାସନ ସହଜ କରିବାକୁ ସାମୟିକ ବିକଳ୍ପ ନାଳ ଖୋଳିବାକୁ ବିଚାର କରାଯାଉଛି ବୋଲି ନିଗମ ପକ୍ଷରୁ କୁହାଯାଇଛି। ବ୍ରହ୍ମପୁରରେ ଚିହ୍ନଟ ହୋଇଥିବା ୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ସର୍ବନିମ୍ନ ସୁବିଧା ନିଶ୍ଚିତ କରାଇବାକୁ ସମସ୍ତ ସହକାରୀ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାନଗର ନିଗମର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମରେ ଦୁଇଦିନ ମଧ୍ୟରେ ସମୁଦାୟ ୩୨ଟି ଅଭିଯୋଗ ହସ୍ତଗତ ହୋଇଛି। ମୁଖ୍ୟତଃ ନାଳ ସଫେଇ, ଷ୍ଟ୍ରିଟ ଲାଇଟ, ଗଛ କଟା ଏବଂ ଅସୁସ୍ଥ ଅବା ମୃତ ପଶୁ ଉଦ୍ଧାର ସମ୍ପର୍କିତ ଅଭିଯୋଗ ଆସୁଥିବା ଜଣାପଡିଛି। କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି କମିଶନର। ଅଭିଯୋଗ ପାଇବାର ଦୁଇଘଣ୍ଟା ପରେ ସମସ୍ୟା ସମାଧାନର ସାନି ସ୍ଥିତି ଜାଣିବାକୁ ଅଭିଯୋଗକାରୀଙ୍କୁ ବାଧ୍ୟତାମୂଳକ ଭାବେ ଯୋଗାଯୋଗ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପରିଚାଳନାର ଗମ୍ଭୀରତା ଦୃଷ୍ଟିରୁ ଆଗକୁ ନାଳ ସଫା ଓ ଜବରଦଖଲ ଉଛେଦକୁ ପ୍ରାଥମିକତା ଦିଆଯିବା ସହ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀ ସ୍ପଷ୍ଟ କରିଛନ୍ତି l ଉଭୟ ମଣିଷ ଓ ପ୍ରାଣୀଧନ ଜୀବନକୁ ସୁରକ୍ଷିତ ରଖିବା ସହ ସରକାରଙ୍କ ଶୂନ୍ୟ ମୃତାହତ ଲକ୍ଷ୍ୟକୁ ସଫଳ କରିବାକୁ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ଲୋଡିଛନ୍ତି କମିଶନର l
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ