‘ଆମ କଳାକାର’ପୋର୍ଟାଲରେ ପଞ୍ଜୀକୃତ ସାଂସ୍କୃତିକ ଦଳଙ୍କ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଶେଷ
କେନ୍ଦ୍ରାପଡ଼ା, ୧୪ ନଭେମ୍ବର (ହି.ସ.)- ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଲୋକକଳାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ତଥା କଳାକାରମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ଆମ କଳାକାର’ପୋର୍ଟାଲରେ ପଞ୍ଜୀକୃତ ସାଂସ୍କୃତିକ ଦଳମ
‘ଆମ କଳାକାର’ପୋର୍ଟାଲରେ ପଞ୍ଜୀକୃତ ସାଂସ୍କୃତିକ ଦଳଙ୍କ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଶେଷ


କେନ୍ଦ୍ରାପଡ଼ା, ୧୪ ନଭେମ୍ବର (ହି.ସ.)- ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଲୋକକଳାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ତଥା କଳାକାରମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ଆମ କଳାକାର’ପୋର୍ଟାଲରେ ପଞ୍ଜୀକୃତ ସାଂସ୍କୃତିକ ଦଳମାନଙ୍କର ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା କେନ୍ଦ୍ରାପଡ଼ା ଜିଲ୍ଲାରେ ସଫଳତାର ସହ ସମାପ୍ତ ହୋଇଛି। ଏହି ପୋର୍ଟାଲରେ ସାଂସ୍କୃତିକ ଦଳମାନଙ୍କର ପଞ୍ଜୀକରଣ ନିମନ୍ତେ ୧୫ ଅଗଷ୍ଟ ୨୦୨୬ରୁ ୧୬ ସେପ୍ଟେମ୍ବର ୨୦୨୬ ପର୍ୟ୍ୟନ୍ତ ଏକ ମାସର ସମୟ ଦିଆଯାଇଥିଲା। ଏହି ଅବଧି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ବିଭିନ୍ନ କଳାବର୍ଗରେ ମୋଟ ୩୦୩ଟି ସାଂସ୍କୃତିକ ଦଳ ପଞ୍ଜୀକରଣ କରିଥିଲେ। ପରବର୍ତ୍ତୀ ସମୟରେ ପଞ୍ଜୀକୃତ ଦଳମାନଙ୍କର ଦକ୍ଷତା ଓ କଳା ପ୍ରଦର୍ଶନର ମୂଲ୍ୟାୟନ ନିମନ୍ତେ ଜିଲ୍ଲାସ୍ତରରେ ଅଡିସନ୍ ବା ଚୟନ ପ୍ରକ୍ରିୟା ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ଭବନଠାରେ ୨୬ ଅକ୍ଟୋବର ୨୦୨୬ରୁ ଆରମ୍ଭ ହୋଇଥିବା ଏହି ଚୟନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ୯ ଦିନ ଧରି ଚାଲି ୧୩ ନଭେମ୍ବର ୨୦୨୬ରେ ସମାପ୍ତ ହୋଇଛି। ଏଥିରେ ଜିଲ୍ଲାର ମୋଟ ୨୦୫ଟି ସାଂସ୍କୃତିକ ଦଳର ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ୱ କଳାକାର ଅଂଶଗ୍ରହଣ କରି ନିଜ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ଚୟନ ପ୍ରକ୍ରିୟାରେ ପାଲା, ଘୋଡ଼ାନାଚ, କଣ୍ଢେଇନାଚ, କେନ୍ଦେରା, ଏକତାରା ଭଳି ଯୋଡ଼ି ଲୋକକଳା, ଓଡ଼ିଶୀ ଓ ସମ୍ବଲପୁରୀ ଭଳି ନୃତ୍ୟ, ଗୀତିନାଟ୍ୟ, ସୁଆଙ୍ଗ, ରାମଲୀଳା, କୃଷ୍ଣଲୀଳା ଭଳି ମଞ୍ଚକଳା ସହିତ ଭଜନ, ସୁଗମ ସଙ୍ଗୀତ ଓ ଓଡ଼ିଶୀ ସଙ୍ଗୀତ ଭଳି କଣ୍ଠ ସଙ୍ଗୀତର ବିଭିନ୍ନ ବର୍ଗ ସାମିଲ ହୋଇଥିଲା। ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, କେନ୍ଦ୍ରାପଡ଼ା ପକ୍ଷରୁ ଆୟୋଜିତ ଏହି ଚୟନ ପ୍ରକ୍ରିୟାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ବରିଷ୍ଠ ବିଚାରକମାନେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ ଦଳର କଳା ପ୍ରଦର୍ଶନର ମୂଲ୍ୟାୟନ କରିଥିଲେ। କଳାକାରମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଓ ପାରମ୍ପରିକ କଳାର ଉପସ୍ଥାପନାକୁ ବିଚାରକମାନେ ପ୍ରଶଂସା କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ଏବଂ କାର୍ଯ୍ୟାଳୟର କର୍ମଚାରୀ ରାଜକିଶୋର ରାଉତ ସମଗ୍ର ଚୟନ ପ୍ରକ୍ରିୟାର ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି ପଦକ୍ଷେପ ଜିଲ୍ଲାର ପାରମ୍ପରିକ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ସହ କଳାକାରମାନଙ୍କୁ ଅଧିକ ସୁଯୋଗ ଓ ପରିଚୟ ପ୍ରଦାନ କରିବାରେ ସହାୟକ ହେବ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande