
ବଲାଙ୍ଗିର 4 ନଭେମ୍ବର (ହି.ସ.)
ସ୍ଥାନୀୟ କୋଶଲ କଳାମଣ୍ଡଳ ପଡ଼ିଆଠାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଗଠନର ସମସ୍ତ ସଦସ୍ୟ, ସଦସ୍ୟା ଏବଂ ଉପଦେଷ୍ଟା ମଣ୍ଡଳୀଙ୍କ ଦ୍ୱାରା ପାରମ୍ପରିକ ରୀତିନୀତିରେ ମଞ୍ଚ ପୂଜା ସମ୍ପନ୍ନ ହୋଇଥିଲା । ପୂର୍ବାହ୍ନରେ ସଂଗଠନ ପକ୍ଷରୁ ସମାଜସେବା ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମେତ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା । ସନ୍ଧ୍ୟାରେ ଆୟୋଜିତ ସାଧାରଣ ସଭାରେ ବଲାଙ୍ଗିରର ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଏବଂ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ମଞ୍ଚାସୀନ ରହି ସଂଗଠନର ଜନହିତକର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସିଂହଦେଓ ସଂଗଠନର ସେବା ମନୋଭାବରେ ଖୁସି ହୋଇ ଆଗାମୀ ଦିନରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେବେ ବୋଲି ମଞ୍ଚରୁ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଅଗ୍ରଣୀ ସାମାଜିକ ସଂଗଠନ ସମେତ ସୁନ୍ଦରଗଡ଼, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରୁ ଆସିଥିବା ଅନେକ ଅଗ୍ରଣୀ ସାମାଜିକ ସଂଗଠନକୁ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକପ୍ରିୟ କଣ୍ଠଶିଳ୍ପୀ ରୁକୁ ସୁନା ଓ ଟିମ୍, ଶିବାନନ୍ଦ ତ୍ରିପାଠୀ, ବ୍ୟାସଦେବ ପୁରୋହିତ, ଶ୍ରେୟାଂଶ ଶେଖର, ସୁଚିତ୍ରା ଦାସ, ଦିପିତା ସ୍ୱାଇଁ ଏବଂ ଦିନେଶ ଜଗତଙ୍କ ରଙ୍ଗାରଙ୍ଗ ସଙ୍ଗୀତ ଓ ନୃତ୍ୟ ପରିବେଷଣରେ ଦର୍ଶକମାନେ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଝୁମି ଉଠିଥିଲେ । ସଭା ମଞ୍ଚକୁ ସଂଗଠନର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଶତପଥୀ ପରିଚାଳନା କରିଥିବା ବେଳେ ସାଂସ୍କୃତିକ ମଞ୍ଚକୁ ବୀରେନ୍ଦ୍ର ପାଣ୍ଡେ ପରିଚାଳନା କରିଥିଲେ । ପରିଶେଷରେ ସଂଗଠନର ସଭାପତି ଉତ୍ତମ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠନର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ