
ଖୋର୍ଦ୍ଧା, ୧୪ ନଭେମ୍ବର(ହି.ସ.) – ଶିଶୁ ଦିବସ ପାଳନ ବେଳେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିକଗୋଡ଼ାସ୍ଥିତ ଗଦାଧର ଏକାଡେମୀ ବିଦ୍ୟାଳୟରେ ଘଟିଛି ଅଘଟଣ। ପେଟ୍ରୋଲ ନିଆଁରେ ଜଣେ ୯ ବର୍ଷୀୟ ଛାତ୍ର ଜଳି ଆହତ ହୋଇଛନ୍ତି। ଆହତ ଛାତ୍ର ଜଣକ ଚତୁର୍ଥ ଶ୍ରେଣୀର ଶିବ ପ୍ରସାଦ ପ୍ରଧାନ ବୋଲି ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ପ୍ରଥମେ ବୋଲଗଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ। ପରେ ଅବସ୍ତା ଗୁରୁତର ହେବାରୁ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସୂଚନା ଅନୁଯାୟୀ, ଶିଶୁ ଦିବସ ଅବସରରେ ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ଜଣେ ଛାତ୍ର ପେଟ୍ରୋଲ ଆଣି ବିଦ୍ୟାଳୟକୁ ଆସିଥିବା କୁହାଯାଉଛି। କୌଣସି କାରଣରୁ ଜଣେ ଛାତ୍ରଙ୍କ ଦେହରେ ପେଟ୍ରୋଲ ପଡ଼ିବା ପରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ଘଟଣା କିପରି ଘଟିଲା, ତାହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ ଅଂଚଳରେ ଉତେଜନା ପ୍ରକାଶ ପାଇଛି। ବିଦ୍ୟାଳୟ ପରିସରରେ ଏଭଳି ଅଘଟଣ କିପରି ଘଟିଲା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦିଗରେ କର୍ତୃପକ୍ଷ କେତେ ସଚେତନ ଥିଲେ, ତାହାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ବିଦ୍ୟାଳୟ ଘେରାଉ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇ ହୋହଲ୍ଲା କରିଥିଲେ। ଖବର ପାଇ ବୋଲଗଡ଼ ପୋଲିସ ବିଦ୍ୟାଳୟରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ପୋଲିସ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା ହୋଇଥିବା ଜଣାପଡ଼ିଛି। ଘଟଣାର ନିରପେକ୍ଷ ତଦନ୍ତ, ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଏବଂ ଆହତ ଛାତ୍ରଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ