
ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ଓଡ଼ିଶାରେ ଘରୋଇ ଯାତ୍ରୀବାହୀ ବସ୍ଗୁଡ଼ିକର ଭଡ଼ା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହି ଭଡ଼ା ବୃଦ୍ଧି ସାଧାରଣ ଯାତ୍ରୀ, ଦୈନିକ ଯାତାୟାତ କରୁଥିବା ଶ୍ରମିକ, କର୍ମଚାରୀ, ଛାତ୍ରଛାତ୍ରୀ, ଚାଷୀ, ପଥବିକ୍ରେତା, କ୍ଷୁଦ୍ର ବ୍ୟବସାୟୀ ଏବଂ ନିମ୍ନ ଓ ମଧ୍ୟବିତ ପରିବାରଗୁଡ଼ିକ ଉପରେ ଅତ୍ୟଧିକ ଆର୍ଥିକ ଆକ୍ରମଣ। ଦରଦାମ୍ ବୃଦ୍ଧିରେ ଜନସାଧାରଣ ଅତିଷ୍ଠ ଥିବାବେଳେ ବସ୍ଭଡ଼ା ବୃଦ୍ଧି ହେଉଛି ବୋଝ ଉପରେ ନଳିତା ବିଡ଼ା ସଦୃଶ। ବସ୍ ଯାତ୍ରା କେବଳ ଏକ ପରିବହନ ସେବା ନୁହେଁ, ଏହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଆବଶ୍ୟକତା। ବିଶେଷକରି ଗ୍ରାମାଞ୍ଚଳର ଲୋକମାନେ ଚିକିତ୍ସା, ଶିକ୍ଷା, ଜୀବିକା, କୃଷି ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବସ୍ ଯାତ୍ରା ଉପରେ ନିର୍ଭରଶୀଳ। ଦୈନିକ ମଜୁରିଆ, ଛୋଟ ଚାଷୀ, ଅସଂଗଠିତ କ୍ଷେତ୍ରର ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ଆୟ ବୃଦ୍ଧି ହେଉ ନ ଥିବାବେଳେ ଯାତାୟାତ ଖର୍ଚ୍ଚ ବଢ଼ାଇବା ସେମାନଙ୍କ ଜୀବନକୁ ଆହୁରି ଦୁର୍ବିଷହ କରିବ।
ବସ୍ ମାଲିକମାନଙ୍କ ପରିଚାଳନା ଖର୍ଚ୍ଚ, ଡିଜେଲ, ଟାୟାର, ଲୁବ୍ରିକାଂଟ ଓ ଅନ୍ୟାନ୍ୟ ଯନ୍ତ୍ରାଂଶର ମୂଲ୍ୟ ବୃଦ୍ଧି ସମ୍ପର୍କିତ ସମସ୍ୟାକୁ ଅଣଦେଖା କରାଯାଇପାରିବ ନାହିଁ। କିନ୍ତୁ ଏହି ସମସ୍ତ ଖର୍ଚ୍ଚର ଭାର ସିଧାସଳଖ ଯାତ୍ରୀଙ୍କ ଉପରେ ଲଦିଦେବା ଉଚିତ ନୁହେଁ। ସରକାର କେବଳ ଭଡ଼ା ବୃଦ୍ଧି କରି ନିଜ ଦାୟିତ୍ୱରୁ ମୁକ୍ତ ହୋଇପାରିବେ ନାହିଁ।
ଜନସାଧାରଣଙ୍କ ଆର୍ଥିକ ସ୍ଥିତି ଓ ଜୀବନଜୀବିକାକୁ ଦୃଷ୍ଟିରେ ରଖି ବର୍ଦ୍ଧିତ ବସ୍ଭଡ଼ା ନିଷ୍ପତି ତୁରନ୍ତ ପ୍ରତ୍ୟାହାର କରିବାକୁ ସିପିଆଇ ପକ୍ଷରୁ ଦାବି କରାଯାଇଛି। ଜନସାଧାରଣଙ୍କ ସ୍ୱାର୍ଥରେ ଏହି ନିଷ୍ପତିର ପ୍ରତ୍ୟାହାର ପାଇଁ ସିପିଆଇ ଦାବି କରିଛି। ବସ୍ଭଡ଼ା ବୃଦ୍ଧି କରି ଜନଗଣଙ୍କୁ ଲୁଣ୍ଠନ କରିବା ଘଟଣାରେ ସିପିଆଇ ନିରବଦ୍ରଷ୍ଟା ହୋଇପାରିବ ନାହିଁ। ସରକାର ବର୍ଦ୍ଧିତ ବସ୍ଭଡ଼ା ପ୍ରତ୍ୟାହାର ନ କଲେ ରାଜରାସ୍ତାରେ ଆନ୍ଦୋଳନ ପାଇଁ ବାଧ୍ୟ ହେବ ବୋଲି ସିପିଆଇ ରାଜ୍ୟ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା