
କେନ୍ଦ୍ରାପଡ଼ା, ୧୪ ନଭେମ୍ବର(ହି.ସ.) – ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶିଶୁ ଦିବସ କାର୍ୟ୍ୟକ୍ରମ ସ୍ଥାନୀୟ ଗରାପୁରସ୍ଥିତ ଗୁରୁକୁଳ ଆବାସିକ ଶିକ୍ଷା ନିକେତନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ୪୪ ଦିନିଆ ରାଜ୍ୟବ୍ୟାପୀ ଶିଶୁ ଶ୍ରମିକ ମୁକ୍ତ ଗ୍ରାମପଂଚାୟତ ଅଭିଯାନରେ କପାଳେଶ୍ୱର ଗ୍ରାମପଂଚାୟତର ସମସ୍ତ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୁରୁକୁଳ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଅଭିମନ୍ୟୁ ଗୋଛାୟତଙ୍କ ସଭାପତତ୍ୱରେ ଆୟୋଜିତ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶ୍ରମ ଅଧିକାରୀ ଅଶୋକ କୁମାର ମୁର୍ମୁ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସହ ଶ୍ରମ ଅଧିକାରୀ କନିଷ୍କ ନାରାୟଣ, ଗରାପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମହମ୍ମଦ ଜଲାଲ୍ଲୁଦ୍ଦିନ, ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଉତମ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଜିର ଶିଶୁ କାଲିର ନାଗରିକ ଏବଂ ଶିଶୁ ହସିଲେ ଦେଶ ହସିବ ବୋଲି କହିଥିଲେ। ଶିଶୁ ଶ୍ରମିକ ପ୍ରଥା ଦୂର କରିବାକୁ ହେଲେ ସମସ୍ତଙ୍କୁ ଆଗକୁ ଆସିବାକୁ ପଡିବ। କାରଣ ଶିଶୁ ଶିକ୍ଷିତ ହେଲେ ସୁସ୍ଥ ସମାଜ ଗଠନ ହୁଏ। ତେଣୁ ଏ ଦିଗରେ ସମାଜରେ ସଚେତନତାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ। ଆୟୋଜିତ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ସିନିଅର ବିଭାଗରେ ସ୍ମାଇଲ ବରାଳ- ପ୍ରଥମ, ସାଇ ସାଗରୀକା ବାରିକ- ଦ୍ୱିତୀୟ, ଖୁସି ପ୍ରିୟଦର୍ଶିନୀ- ତୃତୀୟ ଏବଂ ଜୁନିଅର ବିଭାଗରେ ରାଜନନ୍ଦିନୀ ପ୍ରଧାନ- ପ୍ରଥମ, ଲଷ୍ମୀପ୍ରିୟା ମଣ୍ଡଳ- ଦ୍ୱିତୀୟ, ହରପ୍ରିୟା ମଲିକ- ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ସିନିଅର ବିଭାଗରେ ନିଖିଲ ପ୍ରସାଦ ଦାସ- ପ୍ରଥମ, ଅଭିନ୍ନ ସୁନ୍ଦର ଜେନା- ଦ୍ୱିତୀୟ, ଅଗଣି ତରାଇ- ତୃତୀୟ ଏବଂ ଜୁନିଅର ବିଭାଗରେ ଆୟୁଷ ବିଶ୍ୱାଳ- ପ୍ରଥମ, ରାଜନନ୍ଦିନୀ ପ୍ରଧାନ-ଦ୍ୱିତୀୟ ଓ ସଂଗ୍ରାମ ମଣ୍ଡଳ -ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏହି କାର୍ୟ୍ୟକ୍ରମ କୁ ଶିକ୍ଷକ ବାବାଜୀ ଚରଣ ମୁଦୁଲି, ତଫିକ ଖାଁ, ବଳରାମ ବେହେରା, ବନଜା ମହାନ୍ତି, ମାନସୀ ବେହେରା, ଆଫ୍ରିନା ନୁରୀ, ରଶ୍ମିତା ଦାସ, କଳ୍ପନା ଦାସ ,ସୋଫିଆ ଦାସ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ରଞ୍ଜନ କୁମାର ଲେଙ୍କା, ତ୍ରିଲୋଚନ ଦାସ ଓ ପ୍ରଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି