

କନ୍ଧମାଳ, ୧୪ ନଭେମ୍ବର(ହି.ସ.) – ଫୁଲବାଣୀର ପୁରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିପୀଡ଼ିତ ଏକ ଅଭିନବ ଉପାୟରେ ଶିଶୁ ଦିବସ ପାଳନ କରିଛି। ଏହି ସଂସ୍ଥା ଭିନ୍ନକ୍ଷମ ପିଲାମାନଙ୍କର ଯତ୍ନ, ସୁରକ୍ଷା ଓ ଥଇଥାନ ଉପରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଅଛି। ସାଧାରଣ ପିଲାମାନଙ୍କ ଭଳି ଭିନ୍ନକ୍ଷମ ପିଲାମାନଙ୍କର ମଧ୍ୟ ସବୁ କ୍ଷେତ୍ରରେ ପାରଦର୍ଶିତା ଅଛି। ଏହାକୁ ପ୍ରମାଣିତ କରିବାକୁ ଏହି ଅନୁଷ୍ଠାନ ଏକ ଆହ୍ୱାନ ଦେଇଛି। ରୁଜାଙ୍ଗି ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଓ ଅନୁଷ୍ଠାନରେ ପଞ୍ଜୀକୃତ ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ ମିଳିତ ଭାବରେ ବିଭିନ୍ନ ପ୍ରତିଯୋଗୀତା କରଯାଇଥିଲା ଏବଂ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ମଧ୍ୟ କରଯାଇଥିଲା। ଏଥିରେ ଭିନ୍ନକ୍ଷମ ପିଲାମାନେ ମଧ୍ୟ ସମ ପରିମାଣରେ ପୁରସ୍କୃତ ହୋଇଛନ୍ତି ଓ ନିଜକୁ ସବୁ କ୍ଷେତ୍ରରେ ସକ୍ଷମ ବୋଲି ପ୍ରମାଣିତ କରିଛନ୍ତି। ସମାଜର ମୁଖ୍ୟସ୍ରୋତରେ ଭିନ୍ନକ୍ଷମ ପିଲାମାନଙ୍କୁ ସାମିଲ କରିବା ଏବଂ ସମସ୍ତ ପିଲାଙ୍କ ମଧ୍ୟରେ ବନ୍ଧୁତା, ସହଯୋଗ ଓ ସମାନତାର ଭାବନା ଜାଗ୍ରତ କରିବା ଏହି ସ୍ୱତନ୍ତ୍ର ସାମାଜିକ ସମ୍ମିଳନ ଓ ଅନ୍ତର୍ଭୁକ୍ତି ମୂଳକ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଶିକ୍ଷକ ହିମାଂଶୁ ଭୂଷଣ ନାୟକ, ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାମକୃଷ୍ଣ ପ୍ରଧାନ ଓ ଅଭିଷେକ ଜାଲ, ଅନୁଷ୍ଠାନର ସମ୍ପାଦକ ରାମଚନ୍ଦ୍ର ଦାଶ, ସଂଯୋଜକ ପ୍ରମୋଦ କୁମାର ନାୟକ ଯୋଗଦେଇ ଅଭିଭାଷଣରେ କହିଥିଲେ ଯେ, ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ ଅନେକ ଲୁକ୍କାୟିତ ପ୍ରତିଭା ରହିଛି। ସେମାନଙ୍କୁ ଅଲଗା ନଭାବି ସାଧାରଣ ପିଲାମାନଙ୍କ ସହ ମିଶିବାର ସୁଯୋଗ ଦେଲେ, ଏକ ସୁସ୍ଥ ଓ ସମାବେଶୀ ସମାଜ ଗଠନ ହୋଇପାରିବ।' ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଓ ସମସ୍ତ ଉପସ୍ଥିତ ପଞ୍ଜୀକୃତ ଭିନ୍ନକ୍ଷମ ପିଲାମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ମହିଳା ସମାଜସେବୀ ଜ୍ୟୋତ୍ସ୍ନାରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଭିନ୍ନକ୍ଷମ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା କର୍ମୀମାନେ ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ