
ଝାରସୁଗୁଡା, ୧୪ ନଭେମ୍ବର (ହି.ସ.)- ଶିଶୁ ଦିବସ ଅବସରରେ ଶ୍ରୀପୁରା ଗ୍ରାମସ୍ଥିତ ବିଦ୍ୟାଳୟ ପରିସରରେ ମା’ ଦୁର୍ଗତିନାଶିନୀ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଏକ ଆନନ୍ଦମୟ ଓ ଉତ୍ସାହପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଫ୍ୟାନ୍ସି ଡ୍ରେସ୍, ଚିତ୍ରାଙ୍କନ ଓ ବକ୍ତୃତା ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପିଲାମାନେ ଅତ୍ୟନ୍ତ ଉତ୍ସାହ ଓ ଆଗ୍ରହର ସହ ପ୍ରତିଯୋଗିତାଗୁଡ଼ିକରେ ଅଂଶଗ୍ରହଣ କରି ନିଜ ନିଜର ସୃଜନଶୀଳତା ଓ ପ୍ରତିଭାର ପରିଚୟ ଦେଇଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ରଷ୍ଟ ପକ୍ଷରୁ ଖାତା ଓ କଲମ ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ବିଜୟୀ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିସହିତ ସମସ୍ତ ଶିଶୁଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଉପହାର ଓ ପୁରସ୍କାର ପାଇ ପିଲାମାନଙ୍କ ମଧ୍ୟରେ ବେଶ୍ ଖୁସି ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ସଭ୍ୟ ଓ ସଭ୍ୟା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶିଶୁମାନଙ୍କ ପ୍ରତିଭା ବିକାଶ ଓ ମନୋବଳ ବୃଦ୍ଧି ଦିଗରେ ଟ୍ରଷ୍ଟର ଏହି ପ୍ରୟାସକୁ ସ୍ଥାନୀୟ ମହଲରେ ସ୍ୱାଗତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ