କ୍ରେଡିଟ୍ କାର୍ଡ ଲିମିଟ୍ ବୃଦ୍ଧି ନାଁରେ ସାଇବର ଠକେଇ : ବ୍ୟାଙ୍କ ପ୍ରତିନିଧିର ପରିଚୟ ଦେଇ ଲୁଟିନେଲେ ୧୯,୩୯୯ ଟଙ୍କା, ସାଇବର ଥାନାରେ ଅଭିଯୋଗ
Cyber fraud at Jharsuguda
କ୍ରେଡିଟ୍ କାର୍ଡ ଲିମିଟ୍ ବୃଦ୍ଧି ନାଁରେ ସାଇବର ଠକେଇ : ବ୍ୟାଙ୍କ ପ୍ରତିନିଧିର ପରିଚୟ ଦେଇ ଲୁଟିନେଲେ ୧୯,୩୯୯ ଟଙ୍କା, ସାଇବର ଥାନାରେ ଅଭିଯୋଗ


ଝାରସୁଗୁଡ଼ା, ୧୪ ନଭେମ୍ବର (ହି.ସ.)- କ୍ରେଡିଟ୍ କାର୍ଡର ଲିମିଟ୍ ବୃଦ୍ଧି କରାଇଦେବାର ପ୍ରଲୋଭନ ଦେଖାଇ ସାଇବର ଠକେଇ। ଏହି ଜାଲରେ ପଡ଼ି ଝାରସୁଗୁଡ଼ାର ଜଣେ ବ୍ୟକ୍ତି ନିଜର ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୯ ହଜାର ୩୯୯ ଟଙ୍କା ହରାଇଛନ୍ତି। ଏନେଇ ସେ ଶନିବାର ଝାରସୁଗୁଡ଼ା ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗକାରୀ ଜଣକ ହେଉଛନ୍ତି ସହରର ଶାନ୍ତିନଗର, ୱାର୍ଡ ନମ୍ବର ୫ର ବାସିନ୍ଦା ଦୀପକ କୁମାର ନାୟକ। ଅଭିଯୋଗ ଅନୁଯାୟୀ, କିଛିଦିନ ପୂର୍ବେ ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ବ୍ୟାଙ୍କ ପ୍ରତିନିଧି ବୋଲି ପରିଚୟ ଦେବା ସହ ତାଙ୍କ ଏଚ୍ଡିଏଫ୍ସି କ୍ରେଡିଟ୍ କାର୍ଡର ଲିମିଟ୍ ବଢ଼ାଇଦେବାକୁ କହିଥିଲେ। ଏହି ପ୍ରଲୋଭନରେ ଦୀପକଙ୍କୁ ବିଭିନ୍ନ କଥା କହି ଭୁଲାଇବା ପରେ ତାଙ୍କ ଏଚ୍ଡିଏଫ୍ସି ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୪ ହଜାର ୬୯୯ ଟଙ୍କା କାଟି ନେଇଥିଲେ।

ଏହାପରେ ଗତ ନଭେମ୍ବର ୧୩ ତାରିଖରେ ଦୀପକ ନିଜ ଆଇଡିଏଫ୍ସି ବ୍ୟାଙ୍କ ଆକାଉଣ୍ଟରେ ୧୫ ହଜାର ଟଙ୍କା ଜମା କରିଥିଲେ। ତେବେ ସେହିଦିନ ଅପରାହ୍ନରେ ଚାରିଟି ପର୍ଯ୍ୟାୟରେ ଯଥାକ୍ରମେ ୫ ହଜାର, ୨ ହଜାର, ୨ ହଜାର ୭୦୦ ଓ ୫ ହଜାର ଟଙ୍କା ମିଶାଇ ମୋଟ ୧୪ ହଜାର ୭୦୦ ଟଙ୍କା ତାଙ୍କ ଆକାଉଣ୍ଟରୁ ଉଠାଇ ନିଆଯାଇଥିଲା।

ଦୁଇଟି ଆକାଉଣ୍ଟରୁ ମୋଟ ୧୯ ହଜାର ୩୯୯ ଟଙ୍କା ଠକେଇ ହୋଇଥିବା ଜାଣିବା ପରେ ଦୀପକ ଶନିବାର ସାଇବର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଏଥିସହ ଠକେଇରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପୁଲିସକୁ ନିବେଦନ କରିଛନ୍ତି। ଅଭିଯୋଗ ପାଇବା ପରେ ସାଇବର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande