
ନୂଆଦିଲ୍ଲୀ, ୧୪ ନଭେମ୍ବର (ହି.ସ.)- ଦିଲ୍ଲୀ-ଏନ୍ସିଆରରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ୧୯୧ଟି ପ୍ରଦୂଷଣକାରୀ ଶିଳ୍ପକୁ ତୁରନ୍ତ ସିଲ୍ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୩୦ ସୁଦ୍ଧା ଏଏନ୍ପିଆର କ୍ୟାମେରା ନଲଗାଇଲେ ସମ୍ପୃକ୍ତ ପରିବହନ ବିଭାଗର ଅଧିକାରୀଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଦିଲ୍ଲୀ, ହରିୟାଣା, ଉତରପ୍ରଦେଶ ଓ ରାଜସ୍ଥାନରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପର ସମୀକ୍ଷା କରାଯାଇଥିଲା। ଏହି ଅବସରରେ ଯାଦବ ରାଜ୍ୟଗୁଡ଼ିକୁ କେବଳ ଯୋଜନା ପ୍ରସ୍ତୁତିରେ ସୀମିତ ନରହି ସମୟବଦ୍ଧ ଓ ସମନ୍ୱିତ ଢଙ୍ଗରେ ତୃଣମୂଳ ସ୍ତରରେ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ହରିୟାଣାର ସାତଟି, ଉତରପ୍ରଦେଶର ଚାରିଟି ଏବଂ ରାଜସ୍ଥାନର ଚାରିଟି ସହର ପାଇଁ ସଚିବ ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ କୁହାଯାଇଥିଲା। ଏହି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପ୍ରତି ସପ୍ତାହରେ ବାୟୁ ଗୁଣବତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍)କୁ ରିପୋର୍ଟ ଦେବେ। କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କୁ ନୋଟିସ୍ ଜାରି କରିବାକୁ ଆୟୋଗକୁ କୁହାଯାଇଛି।
କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ଲଗାଇବା ପାଇଁ ଏପର୍ଯ୍ୟନ୍ତ ଆଦେଶ ମଧ୍ୟ ଦେଇନଥିବା ୧୯୧ଟି ଶିଳ୍ପକୁ ତୁରନ୍ତ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (ଜିଆର୍ଏପି) ଏବଂ ଶୀତକାଳୀନ କାର୍ଯ୍ୟଯୋଜନାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମଧ୍ୟ ସେ କହିଛନ୍ତି।
ସେ କହିଛନ୍ତି ଯେ, ସଡ଼କ ଧୂଳି ନିୟନ୍ତ୍ରଣ ଅଧୀନରେ ୫,୪୮୦ କିଲୋମିଟର ରାସ୍ତାର ନବୀକରଣ ଲକ୍ଷ୍ୟ ରଖାଯାଇଥିବା ବେଳେ ଏପର୍ଯ୍ୟନ୍ତ ୩,୨୨୧ କିଲୋମିଟର କାମ ସମ୍ପୂର୍ଣ୍ଣ ହୋଇଛି। ସଡ଼କ ସଫେଇ ମେସିନ୍ଗୁଡ଼ିକୁ ଦୁଇଟି ସିଫ୍ଟରେ ଚଳାଇବା, ଏନ୍ସିଆର୍ର ୨୩୩ଟି ଟ୍ରାଫିକ୍ ଜାମ୍ ସ୍ଥାନରେ ସୁଧାରମୂଳକ ପଦକ୍ଷେପ ନେବା ଏବଂ ଦିଲ୍ଲୀ ସୀମାର ୧୫୪ଟି ପ୍ରବେଶ ପଥରେ ଡିସେମ୍ବର ୩୧ ସୁଦ୍ଧା ମଲ୍ଟି-ଲେନ୍ ଫ୍ରି ଫ୍ଲୋ ବ୍ୟବସ୍ଥା ଲାଗୁ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଯାନବାହନରୁ ହେଉଥିବା ପ୍ରଦୂଷଣ ରୋକିବା ପାଇଁ ୨୦୨୮ ସୁଦ୍ଧା ପୁରୁଣା ଟ୍ରକ୍ ଓ ବସ୍ଗୁଡ଼ିକୁ ବିଏସ୍-୬, ସିଏନ୍ଜି ଏବଂ ବିଦ୍ୟୁତ୍ଚାଳିତ ଯାନରେ ପରିବର୍ତନ କରିବା ଯୋଜନାକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ଶିଳ୍ପଜନିତ ପ୍ରଦୂଷଣ ସମ୍ପର୍କରେ କୁହାଯାଇଛି ଯେ, ଲକ୍ଷ୍ୟ ରଖାଯାଇଥିବା ୨,୩୪୫ଟି ଶିଳ୍ପ ମଧ୍ୟରୁ ୨,୨୯୮ଟିକୁ ଅନଲାଇନ୍ ନିର୍ଗମନ ନିରୀକ୍ଷଣ ବ୍ୟବସ୍ଥା ସହ ଯୋଡ଼ାଯାଇଛି। ଅବଶିଷ୍ଟ ୪୭ଟି ଶିଳ୍ପ ୟୁନିଟ୍କୁ ବନ୍ଦ କିମ୍ବା ସିଲ୍ କରାଯାଇଛି।
ସେ ପୌରସଂସ୍ଥାଗୁଡ଼ିକୁ ଦୈନିକ ୬,୭୪୭ ଟନ୍ କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କ୍ଷମତାର ଅଭାବ ଦୂର କରିବା, ଖୋଲା ସ୍ଥାନରେ ଆବର୍ଜନା ଜାଳିବା ବନ୍ଦ କରିବା ଏବଂ ଓଖଲା, ଗାଜିପୁର, ଭଲସ୍ୱା ଓ ବନ୍ଧୱାରୀରେ ଜମା ହୋଇରହିଥିବା ପୁରୁଣା ଆବର୍ଜନାର ନିଷ୍କାସନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ଏଥିସହ ପ୍ରମୁଖ ସହରଗୁଡ଼ିକରେ ପ୍ରଦୂଷଣର ହଟ୍ସ୍ପଟ୍ ଚିହ୍ନଟ କରି ସେଗୁଡ଼ିକ ପାଇଁ ପୃଥକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଏବଂ ନିରୀକ୍ଷଣ ପାଇଁ ଅଧିକରୁ ଅଧିକ ପ୍ରଯୁକ୍ତିର ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
------------
ହିନ୍ଦୁସ୍ଥାନ ସମାଚାର / ଗଗନ