
ନୂଆଦିଲ୍ଲୀ, ୧୪ ନଭେମ୍ବର (ହି.ସ.)- ଭାରତ ଓ ନେପାଳ ମଧ୍ୟରେ ରେଳ ସଂଯୋଗକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଭାରତୀୟ ରେଳବାଇ ଜନକପୁରଧାମ ଓ ଅଯୋଧ୍ୟା ମଧ୍ୟରେ ନୂଆ ସାପ୍ତାହିକ ଟ୍ରେନ୍ ସେବା ଆରମ୍ଭ କରିବାକୁ ମଞ୍ଜୁରି ଦେଇଛି। ପ୍ରାୟ ୬୦୪ କିଲୋମିଟର ଦୀର୍ଘ ଏହି ରେଳ ସେବା ଦୁଇ ଦେଶର ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ କେନ୍ଦ୍ରଗୁଡ଼ିକୁ ପରସ୍ପର ସହ ଯୋଡ଼ିବ।
ରେଳବାଇ ଅନୁଯାୟୀ, ଏହି ଟ୍ରେନ୍ ନେପାଳର ଜନକପୁରଧାମରୁ ଉତରପ୍ରଦେଶର ଅଯୋଧ୍ୟା କ୍ୟାଂଟ ପର୍ଯ୍ୟନ୍ତ ଚଳାଚଳ କରିବ। ଏହାର ମାର୍ଗରେ ବିହାର ଓ ଉତରପ୍ରଦେଶର ଅନେକ ପ୍ରମୁଖ ସହର ଏବଂ ଛୋଟ ସହର ରହିଛି। ଟ୍ରେନ୍ଟି ଜୟନଗର, ମଧୁବନୀ, ଶିଶୋ, ସୀତାମଢ଼ୀ, ରକ୍ସୌଲ, ନରକଟିଆଗଞ୍ଜ, ଗୋରଖପୁର, ବସ୍ତି, ମନକାପୁର ଓ ଅଯୋଧ୍ୟାଧାମରେ ବାଣିଜ୍ୟିକ ରହଣି କରିବ। ଏହା ବ୍ୟତୀତ ଟ୍ରେନ୍ଟି ଉଭୟ ଆରମ୍ଭ ଓ ଶେଷ ଷ୍ଟେସନ୍ରେ ମଧ୍ୟ ରହିବ। ଏହି ସାପ୍ତାହିକ ଟ୍ରେନ୍ ପ୍ରତି ଶନିବାର ଜନକପୁରଧାମରୁ ଏବଂ ପ୍ରତି ସୋମବାର ଅଯୋଧ୍ୟା କ୍ୟାଂଟରୁ ଯାତ୍ରା ଆରମ୍ଭ କରିବ।
ଏହି ରେଳ ସେବା ଦ୍ୱାରା ନେପାଳର ଜନକପୁରଧାମ ଓ ଭାରତର ଅଯୋଧ୍ୟା ମଧ୍ୟରେ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି। ଜନକପୁରଧାମକୁ ମାତା ସୀତାଙ୍କ ଜନ୍ମସ୍ଥାନ ଏବଂ ଅଯୋଧ୍ୟାକୁ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଭାବେ ବିବେଚନା କରାଯାଏ। ଏଭଳି ସ୍ଥିତିରେ ରାମାୟଣ ସହ ଜଡ଼ିତ ଧାର୍ମିକ ସ୍ଥଳଗୁଡ଼ିକ ମଧ୍ୟରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଏହି ଟ୍ରେନ୍ ଯାତାୟାତକୁ ସୁବିଧାଜନକ କରିବ।
ରେଳବାଇ ଅନୁଯାୟୀ, ପର୍ଯ୍ୟଟନ ସହିତ ବାଣିଜ୍ୟ, ଶିକ୍ଷା ଓ ପାରିବାରିକ କାର୍ଯ୍ୟ ପାଇଁ ଦୁଇ ଦେଶ ମଧ୍ୟରେ ଯାତ୍ରା କରୁଥିବା ଲୋକମାନେ ମଧ୍ୟ ଏହି ସେବାରୁ ଉପକୃତ ହେବେ। ଏହି ମାର୍ଗରେ ଥିବା ବିହାର ଓ ନେପାଳର ସୀମାନ୍ତ ଅଂଚଳଗୁଡ଼ିକରେ ସ୍ଥାନୀୟ ବ୍ୟବସାୟୀ, ପର୍ଯ୍ୟଟନ ପରିଚାଳକ, ହୋଟେଲ ବ୍ୟବସାୟୀ ଏବଂ ପାରମ୍ପରିକ ହସ୍ତଶିଳ୍ପ ସହ ଜଡ଼ିତ ଲୋକଙ୍କ ପାଇଁ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଭାରତ ଓ ନେପାଳ ମଧ୍ୟରେ ଶତାବ୍ଦୀ ପୁରୁଣା ଐତିହାସିକ, ସାଂସ୍କୃତିକ ଓ ସାମାଜିକ ସମ୍ପର୍କ ରହିଛି। ଏହି ନୂଆ ରେଳ ସେବା ଦ୍ୱାରା ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ଓ ଯାତାୟାତ ବୃଦ୍ଧି ପାଇବା ସହ ଦ୍ୱିପାକ୍ଷିକ ବନ୍ଧୁତା ମଧ୍ୟ ଅଧିକ ମଜବୁତ ହେବ ବୋଲି ଆଶା କରାଯାଉଛି।
-------------------
ହିନ୍ଦୁସ୍ଥାନ ସମାଚାର / ଗଗନ