

ବଲାଙ୍ଗିର, 14 ନଭେମ୍ବର (ହି.ସ.) ଆଜି ବଲାଙ୍ଗୀର ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ତଦାରଖ କମିଟି (ଦିଶା)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ଏବଂ ଏହାର ଅଗ୍ରଗତି ସମୀକ୍ଷା କରାଯାଇଥିଲା ।
ମାନ୍ୟବର ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ମାନ୍ୟବର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଯୋଗଦେଇଥିଲେ।
ବୈଠକରେ କୃଷି, ପଶୁପାଳନ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତୀକରଣ, ସଡ଼କ ନିର୍ମାଣ, ଗୃହ ନିର୍ମାଣ ଓ ସାମାଜିକ ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଚାଲିଥିବା ଯୋଜନା ଓ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ପିଏମ୍-କିଷାନ, ଫସଲ ବୀମା ଓ ଆୟୁଷ୍ମାନ ଭାରତ ଭଳି ପ୍ରମୁଖ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା ହୋଇଥିଲା।
ଜିଲ୍ଲାର ପାନୀୟ ଜଳ ସମସ୍ୟାକୁ ଗୁରୁତ୍ୱର ସହ ନେଇ ସାଂସଦ ଶ୍ରୀମତୀ ସିଂଦେଓ ବିଭିନ୍ନ ଅଞ୍ଚଳରେ ଜଳରେ ଫ୍ଲୋରାଇଡ୍ ଓ ଆଇରନ୍ର ଅଧିକ ମାତ୍ରା ଥିବା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ଜଳର ମାନ ଯାଞ୍ଚ ସହ ଏହି ଦୂଷିତ ଉପାଦାନଗୁଡ଼ିକର ମାତ୍ରା ହ୍ରାସ ପାଇଁ ଆବଶ୍ୟକ ବୈଷୟିକ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସମସ୍ତ ଜନକଲ୍ୟାଣକାରୀ ଯୋଜନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବିଧାୟକ ଲକ୍ଷ୍ମଣ ବାଗ ଗ୍ରାମାଞ୍ଚଳରେ ରହିଥିବା ମୌଳିକ ସମସ୍ୟାଗୁଡ଼ିକର ସମାଧାନକୁ ପ୍ରାଥମିକତା ଦେବା ସହ ଜନସାଧାରଣଙ୍କ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ବୈଠକରେ ଆଲୋଚିତ ପ୍ରସଙ୍ଗଗୁଡ଼ିକର ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଇଥିଲେ। ସରକାରୀ ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ଏବଂ କେହି ଏଥିରୁ ବଞ୍ଚିତ ନହେବେ, ସେଥିପ୍ରତି ସମସ୍ତ ବିଭାଗ ସଜାଗ ରହିବାକୁ ସେ କହିଥିଲେ।
ବୈଠକରେ ବିଭିନ୍ନ ପଞ୍ଚାୟତ ସମିତିରୁ ଯୋଗଦେଇଥିବା ଜନପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଅଭାବଅସୁବିଧା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ କୁମାର ମେହେରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ