
ନୂଆଦିଲ୍ଲୀ, ୧୪ ନଭେମ୍ବର (ହି.ସ.)। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍ଆଇ) ଦିଲ୍ଲୀସ୍ଥିତ ବିଦେଶୀ ଡାକଘରରେ ଏକ ୟୁରୋପୀୟ ଦେଶରୁ ଆସିଥିବା ସନ୍ଦିଗ୍ଧ ଡାକ ପାର୍ସଲରୁ ୧୦.୮ କିଲୋଗ୍ରାମ ଆମ୍ଫେଟାମିନ୍ ନାମକ ନିଷିଦ୍ଧ ନିଶାଦ୍ରବ୍ୟ ଜବତ କରିଛି। ଡିଆର୍ଆଇ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଜରିଆରେ ଅନ୍ତର୍ଜାତୀୟ ଚୋରା ଚାଲାଣ ସିଣ୍ଡିକେଟ୍ ଦ୍ୱାରା ବୈଧ ଡାକ ସେବାର ଅପବ୍ୟବହାର ଉଦ୍ୟମକୁ ବିଫଳ କରାଯାଇଛି।
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛି ଯେ, ଡିଆର୍ଆଇ ଅଧିକାରୀମାନଙ୍କୁ ମିଳିଥିବା ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଉକ୍ତ ସନ୍ଦିଗ୍ଧ ପାର୍ସଲର ଯାଞ୍ଚ କରାଯାଇଥିଲା। ପାର୍ସଲଟି ଏକ ୟୁରୋପୀୟ ଦେଶରୁ ଆସିଥିଲା ଏବଂ ଏଥିରେ ପୋଷାକ (କ୍ଲଥ୍) ଥିବା ଉଲ୍ଲେଖ କରାଯାଇଥିଲା। ପ୍ରାଥମିକ ଯାଞ୍ଚ ସମୟରେ ଡବା ଭିତରୁ ସାଧାରଣ ଘରୋଇ ପୋଷାକ ମିଳିଥିଲା।
ତେବେ ପ୍ୟାକେଜିଂର ଗଭୀର ଯାଞ୍ଚ କରିବାରୁ ଡବାର ଚାରିପାଖ କାନ୍ଥ ଭିତରେ ଦୁଇଟି ଲେଖାଏଁ ପ୍ଲାଷ୍ଟିକ୍ ପାଉଚ୍ ଲୁଚାଇ ରଖାଯାଇଥିବା ଜଣାପଡ଼ିଥିଲା। ଏହିପରି ମୋଟ ୮ଟି ପ୍ୟାକେଟ୍ ଜବତ କରାଯାଇଥିଲା। ସେଥିରେ ଗୋଲାପୀ ରଙ୍ଗର ଗୁଣ୍ଡ ଥିଲା। ଯାଞ୍ଚ ପରେ ଏହା ଆମ୍ଫେଟାମିନ୍ ବୋଲି ସ୍ପଷ୍ଟ ହୋଇଥିଲା।
ଡିଆର୍ଆଇ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବ୍ଷ୍ଟାନ୍ସେସ୍ (ଏନ୍ଡିପିଏସ୍) ଆଇନ, ୧୯୮୫ର ବ୍ୟବସ୍ଥା ଅନୁଯାୟୀ ସମସ୍ତ ୮ଟି ପ୍ୟାକେଟ୍ ଜବତ କରିଛି। ଏହି ମାମଲାରେ ଆଗକୁ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା