ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମ
Distribution of Pradhan Mantri awas
ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମ


ଝାରସୁଗୁଡ଼ା, ୧୪ ନଭେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପରିଷଦ ଆନୁକୂଲ୍ୟରେ ଆଜି ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଠାରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)’ ଅନ୍ତର୍ଗତ ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଟଙ୍କଧର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଉପସ୍ଥିତ ହିତାଧିକାରୀମାନଙ୍କ ସହ ବିଧାୟକ ଶ୍ରୀ ତ୍ରିପାଠୀ ଭାବ ବିନିମୟ କରିବା ସହ ଏହି ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦିଗରେ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ସମାଜର ପ୍ରତ୍ୟେକ ଗରିବ ଓ ଅସହାୟ ପରିବାରକୁ ସୁରକ୍ଷିତ ପକ୍କା ଘର ଯୋଗାଇଦେବା ସହ ସେମାନଙ୍କ ଜୀବନରେ ସମ୍ମାନ, ସୁରକ୍ଷା ଓ ନୂତନ ଆଶାର ସଞ୍ଚାର କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି ଜନହିତକର ପଦକ୍ଷେପ ଗ୍ରାମୀଣ ଓଡ଼ିଶାର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ଯୋଗ୍ୟ ପରିବାରର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ । ସମସ୍ତଙ୍କ ପାଇଁ ପକ୍କା ଘର, ସମ୍ମାନଜନକ ଜୀବନ ଓ ବିକଶିତ ଗ୍ରାମୀଣ ଓଡ଼ିଶା ଗଠନ ଆମର ସଂକଳ୍ପ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲାର ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାର ଲକ୍ଷ୍ୟ ବଣ୍ଟନ କରାଯାଇଥିଲା। ଆଜିର ଏହି ଉତ୍ସବରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ବରଗଡ଼ ସାଂସଦଙ୍କ ପ୍ରତିନିଧି ଶ୍ଳୋକ ଶର୍ମା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିସହ ବହୁ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଏବଂ ହିତାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande