
ଝାରସୁଗୁଡ଼ା, ୧୪ ନଭେମ୍ବର (ହି.ସ.)-
Writing
କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ବିଶେଷଜ୍ଞ ଡାକ୍ତର, ଏଲ୍.ଟି.ଆର୍.ଏମ୍.ଓ. ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କ ପଦବୀ ପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଆଞ୍ଚଳିକ ବିକାଶ ପରିଷଦ ସଂଗଠନ। ଏନେଇ ଆସନ୍ତା ନଭେମ୍ବର ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ସିଏଚ୍ସି ସମ୍ମୁଖରେ ଆଠ ଦିନିଆ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ।
ଏହି ଆନ୍ଦୋଳନର ସଫଳ ଆୟୋଜନ ନିମନ୍ତେ ସଂଗଠନର ସଭାପତି ଜିତେନ୍ଦ୍ରୀୟ ଧୁରୁଆଙ୍କ ଅଧ୍ୟକ୍ଷତାରେ ଶନିବାର କୋଲାବିରା ବଜାର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ଲଇକେରା, କୋଲାବିରା ଓ କିର୍ମିରା ଅଞ୍ଚଳର ସ୍ୱାସ୍ଥ୍ୟସେବା ସମସ୍ୟା ଏବଂ ଆଗାମୀ ଆନ୍ଦୋଳନର ରୂପରେଖ ଓ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ସୂଚନାନୁସାରେ, କୋଲାବିରା ସିଏଚ୍ସିରେ ଶଲ୍ୟଚିକିତ୍ସା, ମେଡିସିନ୍, ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ସମେତ ଏଲ୍.ଟି.ଆର୍.ଏମ୍.ଓ. ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କ ଅନେକ ପଦବୀ ଖାଲି ପଡ଼ିଛି। ଫଳରେ କୋଲାବିରା ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଗୁରୁତର ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ରେଫର୍ କରିବାକୁ ପଡ଼ୁଥିବାରୁ ରୋଗୀ ଓ ସେମାନଙ୍କ ପରିବାର ଆର୍ଥିକ ଏବଂ ମାନସିକ ଦୁର୍ଦ୍ଦଶା ଭୋଗୁଛନ୍ତି।
ସଂଗଠନ ପକ୍ଷରୁ ନିଷ୍ପତ୍ତି ଅନୁଯାୟୀ, ପ୍ରତିଦିନ ସକାଳ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କୋଲାବିରା ସିଏଚ୍ସି ସମ୍ମୁଖରେ ଏହି ଗଣଧାରଣା ଚାଲିବ। ଏ ସମ୍ପର୍କରେ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ଲିଖିତ ଭାବେ ଅବଗତ କରାଯାଇଛି।
ଅଞ୍ଚଳବାସୀଙ୍କୁ ଉତ୍ତମ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସମସ୍ତ ଖାଲି ଡାକ୍ତରୀ ଓ ସହଯୋଗୀ କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବାକୁ ପରିଷଦ ଦାବି କରିଛି। ଏହା ଏକ ଜନସ୍ୱାର୍ଥ ସମ୍ବଳିତ ଆନ୍ଦୋଳନ ହୋଇଥିବାରୁ ଦଳମତ ନିର୍ବିଶେଷରେ ସମସ୍ତ ଅଞ୍ଚଳବାସୀ ଏଥିରେ ସହଯୋଗ କରିବାକୁ ସଂଗଠନ ଆହ୍ୱାନ ଦେଇଛି।
ବୈଠକରେ ପରିଷଦର ସମ୍ପାଦକ ପ୍ରଶାନ୍ତ ମହାନନ୍ଦିଆ, କୋଷାଧ୍ୟକ୍ଷ ସୁଖ କିସାନ, ଗଜେନ୍ଦ୍ର କୁଆ, ରୁକ୍ମଣ ମରାଇ, ମନୋଜ ସେଠ୍, ବରିଷ୍ଠ ନାଗରିକ ବୀରେନ୍ଦ୍ର ମହାପାତ୍ର, ବରିଷ୍ଠ ଆଦିବାସୀ ନେତା ପ୍ରେମସାଗର ଧୁରୁଆ, ପ୍ରଭାକର ଓରାମ, ପ୍ରଦୀପ ସାହୁ, ରାଜେଶ ନେଟିଙ୍କ ସମେତ ସଂଗଠନର ଅନ୍ୟାନ୍ୟ ସଦସ୍ୟ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ