
କେନ୍ଦ୍ରାପଡ଼ା, ୧୪ ନଭେମ୍ବର (ହି.ସ.)-ଜିଲ୍ଲାର ସାମାଜିକ ସଂଗଠନ, ବରିଷ୍ଠ ନାଗରିକ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ନ୍ୟାସନାଲ କ୍ୟାଡେଟ୍ କର୍ପସ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ନବସୃଜନ ଚିନ୍ତାଧାରାର ବିକାଶ ସହ ଏହାକୁ ଷ୍ଟାର୍ଟଅପ୍ ରେ ପରିଣତ କରିବା ଲକ୍ଷ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର, କେନ୍ଦ୍ରାପଡ଼ା ପକ୍ଷରୁ ମିଶନ ଶକ୍ତି ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ‘ଓଡ଼ିଶା ସେବା ଫାଷ୍ଟ ଇନୋଭେସନ୍ ଚ୍ୟାଲେଞ୍ଜ-୨୦୨୬’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଇଂ. ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଆରତୀ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ରାଜେଶ ବିଶ୍ୱାଳ ଏବଂ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ରଶ୍ମି ମଞ୍ଜରୀ ପ୍ରଧାନ ଯୋଗଦେଇଥିଲେ।
ଏହି ଅବସରରେ ଅତିଥିମାନେ ଓଡ଼ିଶା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଉଦ୍ୟୋଗ ବିକାଶର ସୁଯୋଗ ସମ୍ପର୍କରେ ଆଲୋକପାତ କରିବା ସହ ଓଡ଼ିଶା ସେବା ଫାଷ୍ଟ ଇନୋଭେସନ୍ ଚ୍ୟାଲେଞ୍ଜରେ ସକ୍ରିୟ ଭାବେ ଭାଗ ନେବାକୁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ଇଂ. ଶିବ ପ୍ରସାଦ ଦାସ ଷ୍ଟାର୍ଟଅପ୍ ପୋର୍ଟାଲରେ ପଞ୍ଜୀକରଣ ପ୍ରକ୍ରିୟା, ପୋର୍ଟାଲରେ ଉପଲବ୍ଧ ବିଭିନ୍ନ ସମସ୍ୟା ଚିହ୍ନଟ କରିବା ଏବଂ ସେଗୁଡ଼ିକର ନୂତନ ଓ ଅଭିନବ ସମାଧାନ ପ୍ରସ୍ତାବ ଦାଖଲ କରି ପ୍ରତିଯୋଗିତାରେ କିପରି ଭାଗ ନିଆଯାଇପାରିବ, ସେ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ମୋଟ ୧୨୪ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ରର ଇଂ. ତ୍ରିଲୋଚନ ବେହେରା ଏବଂ ଇଂ. ଐଶ୍ୱର୍ଯ୍ୟା ମଲ୍ଲିକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ସହକାରୀ ଶିଳ୍ପ ଅଧିକାରୀ ଇଂ. ସାଗର ପୁହାଣ ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସହକାରୀ ଶିଳ୍ପ ଅଧିକାରୀ ଇଂ. କୁଳମଣି ବେହେରା ମଞ୍ଚ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି