
ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ଭୁବନେଶ୍ୱର ମହାନଗର ନିଗମର ୧୭ ନମ୍ବର ୱାର୍ଡରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ମହିଳା କର୍ମକର୍ତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ସ୍ଥାନୀୟ ଅଂଚଳରେ ଦଳର ସାଂଗଠନିକ ଶକ୍ତି ବୃଦ୍ଧି, ମହିଳା ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ସହ ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସାଂଗଠନିକ ରଣନୀତି ଓ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବଦ୍ରିନାରାୟଣ ମହାନ୍ତି ଏହି କର୍ମକର୍ତା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଭୁବନେଶ୍ୱର ନିର୍ମାଣରେ ଯେଉଁମାନେ ବିଶ୍ୱକର୍ମା ସାଜିଛନ୍ତି ସେମାନେ ସାଧାରଣତଃ ଭୁବନେଶ୍ୱରର ବିଭିନ୍ନ ସାହି ବସ୍ତି ଅଞ୍ଚଳରେ ବସବାସ କରନ୍ତି । ସେମାନଙ୍କ ଶ୍ରମ ବଦଳରେ ଭୁବନେଶ୍ୱର ଠିଆ ହୋଇଥିବା ସ୍ଥଳେ ସେମାନେ କିନ୍ତୁ ଅବହେଳିତ। ମଦ ଜନିତ ଅପରାଧ ଓ ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସା ଘଟଣା ଦିନକୁ ଦିନ ବଢ଼ିଚାଲିଛି । ଯଦି ରାଜ୍ୟର ରାଜଧାନୀରେ ମହିଳାମାନେ ଅସୁରକ୍ଷିତ, ତେବେ ଗ୍ରାମାଞ୍ଚଳରେ ମହିଳାଙ୍କ ଅବସ୍ଥା କିପରି ରହିଛି ତାହା ସ୍ପଷ୍ଟ ଅନୁମେୟ । ଏହି ସଭାରେ ଅତିଥି ଭାବେ ଯୋଗଦେଇ ଓଜେସି ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ଓ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଥିଲେ ଯେ, ଓଡ଼ିଶାକୁ ମଦମୁକ୍ତ କରିବା ନିମନ୍ତେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ସର୍ବଦା ସ୍ୱର ଉତୋଳନ କରିଆସୁଛନ୍ତି । ସମ୍ମିଳନୀରେ ମହିଳା କର୍ମକର୍ତାମାନଙ୍କ ଭୂମିକା, ୱାର୍ଡସ୍ତରରେ ଦଳୀୟ ସଂଗଠନର ସମ୍ପ୍ରସାରଣ, ମହିଳାମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଏବଂ ସାଧାରଣ ଜନତାଙ୍କ ସହ ନିରନ୍ତର ସମ୍ପର୍କ ରକ୍ଷା କରିବା ଉପରେ ଆଲୋଚନା ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା