ଠିକାଦାରଙ୍କୁ ୧ କୋଟି ୩୭ଲକ୍ଷ ଟଙ୍କା ନ ଦେଇ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ-୨ ସିଲ୍
କେନ୍ଦ୍ରାପଡ଼ା, ୧୪ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ବଢ଼ିଛି ଆଇନଗତ ଅଡ଼ୁଆ। ୧ କୋଟି ୩୭ ଲକ୍ଷ ୪୫ ହଜାର ୯୯୭ ଟଙ୍କା ୨ ପଇସା ଆଦାୟ ପାଇଁ କେନ୍ଦ୍ରାପଡ଼ା ସିଭିଲ୍ ଜଜ୍ ସିନିୟର ଡିଭିଜନ୍ (କମର୍ସିଆଲ୍) ଚିନ୍ମୟୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।ଅଦାଲତଙ୍କ ପକ୍ଷର
ଠିକାଦାରଙ୍କୁ ୧ କୋଟି ୩୭ଲକ୍ଷ ଟଙ୍କା ନ ଦେଇ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ-୨ ସିଲ୍


କେନ୍ଦ୍ରାପଡ଼ା, ୧୪ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ବଢ଼ିଛି ଆଇନଗତ ଅଡ଼ୁଆ। ୧ କୋଟି ୩୭ ଲକ୍ଷ ୪୫ ହଜାର ୯୯୭ ଟଙ୍କା ୨ ପଇସା ଆଦାୟ ପାଇଁ କେନ୍ଦ୍ରାପଡ଼ା ସିଭିଲ୍ ଜଜ୍ ସିନିୟର ଡିଭିଜନ୍ (କମର୍ସିଆଲ୍) ଚିନ୍ମୟୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।ଅଦାଲତଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଆଧାରରେ ବିଭାଗୀୟ କାର୍ଯ୍ୟାଳୟର ଆସବାବପତ୍ର ସିଲ୍ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ଜିଲ୍ଲାର ସରକାରୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

ମିଳିଥିବା କୋର୍ଟ ଦଲିଲ ଅନୁଯାୟୀ, ଦୁଇଟି ପୃଥକ୍ ଏକ୍ଜିକ୍ୟୁସନ୍ ମାମଲାରେ ଏହି ଅର୍ଥ ଆଦାୟ ପାଇଁ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି। ସ୍ଵର୍ଗତ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ପତ୍ନୀ ପ୍ରିୟମ୍ବଦା ସାମନ୍ତରାୟ ଓଗେରଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ୍ଜିକ୍ୟୁସନ୍ କେସ୍ ନମ୍ବର ୩୧୯/୨୦୨୫ରେ ୬୬ ଲକ୍ଷ ୪୩ ହଜାର ୬୮୭ ଟଙ୍କା ୮୨ ପଇସା ଆଦାୟ ପାଇଁ ଉଲ୍ଲେଖ ରହିଛି। ସେହିପରି ଅନ୍ୟ ଏକ୍ଜିକ୍ୟୁସନ୍ କେସ୍ ନମ୍ବର ୮୮/୨୦୨୫ରେ ୭୧ ଲକ୍ଷ ୨ ହଜାର ୩୦୯ ଟଙ୍କା ୨୦ ପଇସା ଆଦାୟ ପାଇଁ ନିର୍ଦ୍ଦେଶ ରହିଛି। ଏହି ଦୁଇଟି ମାମଲାର ଅର୍ଥକୁ ମିଶାଇଲେ ମୋଟ ପରିମାଣ ୧ କୋଟି ୩୭ ଲକ୍ଷ ୪୫ ହଜାର ୯୯୭ ଟଙ୍କା ୨ ପଇସା ହେଉଛି। ମାମଲାରେ ପ୍ରତିପକ୍ଷ ଭାବେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟମାନଙ୍କ ନାମ ରହିଛି।

କୋର୍ଟଙ୍କ ଆଦେଶ ଅନୁଯାୟୀ, ନିର୍ଦ୍ଧାରିତ ଅର୍ଥ ପୈଠ ନହେଲେ ପ୍ରତିପକ୍ଷଙ୍କ ଚଳନ୍ତି ସମ୍ପତ୍ତି ଜବତ କରିବାକୁ କୋର୍ଟ ବେଲିଫ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ଆଜି ବିଭାଗୀୟ କାର୍ୟ୍ୟାଳୟର ଆସବାବପତ୍ର ସିଲ୍ କରାଯାଇଥିବା ସୂଚନା ମିଳିଛି। ଏତେ ବଡ଼ ପରିମାଣର ଅର୍ଥ ଆଦାୟ ପାଇଁ ନ୍ୟାୟାଳୟଙ୍କ ଜବତ ନିର୍ଦ୍ଦେଶ ଏବଂ ବିଭାଗୀୟ ଆସବାବପତ୍ର ସିଲ୍ ଘଟଣାକୁ ନେଇ ଏବେ ଜିଲ୍ଲାରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଅର୍ଥ କେଉଁ କାରଣରୁ ବକେୟା ରହିଛି ଏବଂ ବିଭାଗ ପକ୍ଷରୁ ପରବର୍ତ୍ତୀ ସମୟରେ କି ପଦକ୍ଷେପ ନିଆଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଦୀର୍ଘ ୨୩ ବର୍ଷ ତଳେ ୨୦୦୩ ମସିହାରେ ରାଜନଗର ବ୍ଲକର ତାଳଚୁଆ ଓ ଦଳେଇ ସାହିରେ ୨ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଠିକାଦାର ରମେଶ ଚନ୍ଦ୍ର ସାମନ୍ତରାୟ କାମ ନେଇଥିଲେ । ସେତେବେଳେ ଏହାର ବ୍ୟୟ ଅଟକଳ ୧ କୋଟି ୭ ଲକ୍ଷ ଟଙ୍କା ଥିଲା । ୨୦୦୪ ମସିହାରେ ଶ୍ରୀ ସାମନ୍ତରାୟ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହେବାପାଇଁ ନିଜର ଠିକାଦାରୀ ଲାଇସେନ୍ସ ସରେଣ୍ଡର କରି ଦେଇଥିଲେ । ମାତ୍ର ତାଙ୍କର ଠିକା କାମର ଅର୍ଥ ପାଇ ନଥିବାରୁ ବାରମ୍ବାର ଅଫିସ ଦୈାଡି ଶେଷରେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଅର୍ଥ ପାଇବା ପାଇଁ ଅପେକ୍ଷା କରି ୨୦୨୨ ମସିହାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ଅନ୍ତେ ତାଙ୍କ ପତ୍ନୀ ପ୍ରିୟମ୍ବଦା ସାମନ୍ତରାୟ ଓ ଓଗେର ଉତରାଧିକାରୀ ମାନଙ୍କ ପକ୍ଷରୁ କରାଯାଇଥିବା ଏହି ମାମଲାକୁ ବରିଷ୍ଠ ଆଇନଜିବୀ ବିନୋଦ ବିହାରୀ ନାୟକ ପରିଚାଳନା କରୁଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande