


ସମ୍ବଲପୁର, ୧୪ ନଭେମ୍ବର (ହି.ସ.) ବଲାଙ୍ଗୀର ଠାରେ ଆଜି ପୂର୍ବାହ୍ନ ୧୧ଟାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଆବଣ୍ଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମ୍ବଲପୁର ସ୍ଥିତ ତପସ୍ୱିନୀ ହଲ୍ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ ଭୋଇ, ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର ଏବଂ ଧନକଉଡ଼ା ବିଡିଓ ଅନିଲ କୁଲ୍ଲୁ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ଗୋଟିଏ ଦେଶ ବା ରାଜ୍ୟର ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ସାଧାରଣ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବା ଦ୍ୱାରା ହିଁ ପ୍ରତିଫଳିତ ହୋଇଥାଏ। ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ଏବଂ ୨୦୨୯ ମସିହା ସୁଦ୍ଧା ଜିଲ୍ଲାର ସମସ୍ତ ମାଟି ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରୟାସ କରାଯାଉଛି। ଏହି ଅବସରରେ ଜିଲ୍ଲାରେ ମଦ ଏବଂ ଜୁଆ ଭଳି ସାମାଜିକ କୁସଂସ୍କାର ଉପରେ ଉଦ୍ବେଗ ପ୍ରକାଶ କରି ବିଧାୟକ ଶ୍ରୀ ମିଶ୍ର ଜନସାଧାରଣଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ସରକାରୀ ସହାୟତା ସହିତ ନିଜସ୍ୱ ସଞ୍ଚୟକୁ ବିନିଯୋଗ କରି ପ୍ରତ୍ୟେକ ପରିବାର ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି କଲେ ହିଁ ସମ୍ବଲପୁର ଜିଲ୍ଲା ରାଜ୍ୟର ଏକ ନମ୍ବର ବିକଶିତ ଜିଲ୍ଲା ଭାବେ ପରିଗଣିତ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ