ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ : ପୁରୀ ଜିଲ୍ଲାରେ ସଫଳତାର ନୂତନ ମାଇଲଖୁଣ୍ଟ
ପୁରୀ, ୧୪ ନଭେମ୍ବର (ହି.ସ.)- ଆଜି ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ଗ୍ରାମୀଣ କାର୍ଯ୍ୟକ୍ରମ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା, ଯାହାକୁ ଉପସ୍ଥିତ ସମସ୍ତ ଅତିଥି ଓ ଜ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ: ପୁରୀ ଜିଲ୍ଲାରେ ସଫଳତାର ନୂତନ ମାଇଲଖୁଣ୍ଟ


ପୁରୀ, ୧୪ ନଭେମ୍ବର (ହି.ସ.)- ଆଜି ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ଗ୍ରାମୀଣ କାର୍ଯ୍ୟକ୍ରମ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା, ଯାହାକୁ ଉପସ୍ଥିତ ସମସ୍ତ ଅତିଥି ଓ ଜନସାଧାରଣ ଦେଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଘର କେବଳ ଇଟା, ବାଲି ଓ ସିମେଣ୍ଟର ଚାରିକାନ୍ଥ ନୁହେଁ; ଏହା ହେଉଛି ପୁରୀ ଜିଲ୍ଲାର ପ୍ରତ୍ୟେକ ଗ୍ରାମୀଣ ପରିବାର ପାଇଁ ସ୍ୱାଭିମାନ, ସୁରକ୍ଷା ଏବଂ ଆଗାମୀ ପିଢ଼ିର ସୁନେଲି ଭବିଷ୍ୟତ ଗଢ଼ିବାର ପ୍ରଥମ ପାହାଚ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ପୁରୀ ଜିଲ୍ଲାରେ ତୃଣମୂଳ ସ୍ତରରେ ଦୃଢ଼ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଅଭୂତପୂର୍ବ ସଫଳତା ହାସଲ ହୋଇଛି। ଜିଲ୍ଲାରେ ମୋଟ ୫୯,୮୮୬ଟି ଘର ମଞ୍ଜୁର ହୋଇଥିବା ବେଳେ ୫୪,୮୬୮ଟି ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି, ଯାହାକି ପ୍ରାୟ ୯୧.୬ ପ୍ରତିଶତ ଏବଂ ରାଜ୍ୟରେ ହାରାହାରି ୯୧ ପ୍ରତିଶତରୁ ଅଧିକ। ଏହାବ୍ୟତୀତ ରାଜ୍ୟର ଗ୍ରାମୀଣ ଆବାସ କ୍ଷେତ୍ରର ବିକାଶ, ଅନ୍ତ୍ୟୋଦୟ ଗୃହ ଯୋଜନା ଏବଂ ସମୟ ପୂର୍ବରୁ ଘର ନିର୍ମାଣ ପାଇଁ ପ୍ରୋତ୍ସାହନ ରାଶି ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ କହିଥିଲେ ଯେ, ସତ୍ୟବାଦୀ ନିର୍ବାଚନମଣ୍ଡଳୀ ତଥା ପୁରୀ ଜିଲ୍ଲାରେ ଗରୀବ ଓ ଯୋଗ୍ୟ ହିତାଧିକାରୀମାନଙ୍କୁ ପକ୍କାଘର ଯୋଗାଇ ଦେବା ଦିଗରେ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ କରାଯାଉଛି। କୌଣସି ଯୋଗ୍ୟ ପରିବାର ଯେପରି ପକ୍କା ଘରରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ. ବିଜୟାନନ୍ଦ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହିତ ବହୁ ସଂଖ୍ୟାରେ ସମ୍ମାନନୀୟ ବରିଷ୍ଠ ନାଗରିକ, ମାଆ ଓ ଭଉଣୀମାନେ, ଆବାସ ଯୋଜନାର ହିତାଧିକାରୀବୃନ୍ଦ ଏବଂ ଗଣମାଧ୍ୟମର ପ୍ରତିନିଧିବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande