
ଝାରସୁଗୁଡ଼ା, ୧୪ ନଭେମ୍ବର (ହି.ସ.)- ସ୍ଥାନୀୟ ଏମ୍ସିଏଲ୍ ଅଡିଟରିୟମ ଠାରେ ଆଜି ଝାରସୁଗୁଡ଼ା ବ୍ଲକ ଏବଂ ଝାରସୁଗୁଡ଼ା ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବ୍ଲକର ୯୪୪ ଜଣ ଏବଂ ଝାରସୁଗୁଡ଼ା ପୌର ପରିଷଦର ୧,୧୬୪ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଝାରସୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ପଞ୍ଜିକୃତ ପେନସନ ଯୋଜନାର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇଥିଲେ। ଏହାପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାଏକ ନୂତନ ଭାବେ ଯୋଜନାରେ ସାମିଲ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ସେ ନିଜ ଅଭିଭାଷଣରେ ଝାରସୁଗୁଡ଼ାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି, ନିୟମିତ ରୋଜଗାର ମେଳା ଆୟୋଜନ ଏବଂ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଥିସହ ଆଗାମୀ ଦିନରେ ଜିଲ୍ଲାରେ ହୃଦରୋଗ ଚିକିତ୍ସାଳୟ, ବିଶ୍ୱବିଦ୍ୟାଳୟ, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଏବଂ ମଙ୍ଗଳ ବଜାର ଚିକିତ୍ସାଳୟ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଥିଲେ। ସୁଭଦ୍ରା ଯୋଜନା, ‘ନିଶାମୁକ୍ତ ଝାରସୁଗୁଡ଼ା’ ଅଭିଯାନ ଏବଂ ବିଭିନ୍ନ କୃଷି ଯୋଜନାରୁ ଲାଭ ଉଠାଉଥିବା ଯୋଗ୍ୟ ହିତାଧିକାରୀମାନେ ବର୍ତ୍ତମାନ ଏହି ପଞ୍ଜିକୃତ ପେନସନ ଯୋଜନାରେ ମଧ୍ୟ ସାମିଲ ହୋଇ ଏହାର ସୁଫଳ ନେବାକୁ ବିଧାୟକ ଆହ୍ୱାନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ା ପୌର ପରିଷଦର ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ ଯୋଗ ଦେଇଥିବା ବେଳେ ମଞ୍ଚରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ମୋହନ ସାହୁ, ସାଂସଦଙ୍କ ପ୍ରତିନିଧି ହେମ ରଞ୍ଜନ ସିଂହ, କାଉନସିଲର ୱାର୍ଡ ନଂ ୧୩ ଦେବବ୍ରତ ପାଣ୍ଡେ, କାଉନସିଲର ୱାର୍ଡ ନଂ ୧୯ ତରଙ୍ଗ ଦୁବେ, କାଉନସିଲର ୱାର୍ଡ ନଂ ୧୦ ମଧୁମିତା ଶୋଭନୀଲ, ୱାର୍ଡ ନଂ ୩ର ବନ୍ଦନା ମୁନ୍ଦ୍ରl, ଅରବିନ୍ଦ ପାଠକ ପ୍ରମୁଖ ମଂଚାସୀନ ରହି ଭତ୍ତା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଝାରସୁଗୁଡା ଏବଂ ପୌର ପରିଷଦ କାର୍ଯ୍ୟଳୟର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ